କନକ ବ୍ୟୁରୋ : ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଯିବ କରୋନାର ତୃତୀୟ ଲହର । ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚର ଏଡିଜି ଡାକ୍ତର ସମୀରନ ପଣ୍ଡା । କହିଛନ୍ତି, ଆଇସିଏମଆର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଗାଣିତିକ ମଡେଲ ଅନୁସାରେ, ଫେବ୍ରୁଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ତୃତୀୟ ଲହର ଶେଷ ହୋଇଯିବ । ମାସ ଶେଷକୁ ଏସବୁ ରାଜ୍ୟରେ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଆସିଯିବ ।

Advertisment

ସେହିପରି ଆଇସିଏମଆର ଓ ଲଣ୍ଡନ ଇମ୍ପେରିଆଲ କଲେଜ ଦ୍ୱାରା ବିକଶିତ କରାଯାଇଥିବା ମଡେଲ ଅନୁସାରେ ମାର୍ଚ୍ଚ ବେଳକୁ ଦେଶରେ କୋଭିଡ୍ ସଂକ୍ରମଣ ଏଣ୍ଡେମିକ୍ ସ୍ଥିତିରେ ପହଁଚି ଯିବ । କରୋନାର ନୂଆ ପ୍ରଜାତି ନଆସିଲେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ । ଏପିଡେମିଓଲୋଜିଷ୍ଟ ଡାକ୍ତର ଚନ୍ଦ୍ରକାନ୍ତ ଲାହାରିଆ ମଧ୍ୟ ସମାନ କଥା ମତ ରଖିଛନ୍ତି ।

କହିଛନ୍ତି, ଆଗାମି ତିନିରୁ ଚାରି ସପ୍ତାହ ମଧ୍ୟରେ ସାରା ଦେଶରେ ତୃତୀୟ ଲହରର ପ୍ରଭାବ ହ୍ରାସ ପାଇବ । ଗତକିଛି ଦିନ ହେଲା ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ର, ଦିଲ୍ଳୀରେ କରୋନା ମିଟର ତଳମୁହାଁ ରହିଛି । ଓଡିଶାରେ ମଧ୍ୟ ନୂଆ ପଜିଟିଭ୍ ମାମଲା କମ ହେବାରେ ଲାଗିଛି ।