ବଢ଼ୁଛି ସଂକ୍ରମଣ, ଫେରୁଛି କଟକଣା । ପୁଣି ହେବ କି ଲକଡାଉନ୍ ?

131

କନକ ବ୍ୟୁରୋ : ବର୍ତମାନ ଦେଶରେ ଯେତିକି କରୋନା ମାମଲା ଆସୁଛି, ସେଥିରୁ ତିନୋଟି ବଡ ସହରରୁ ଅଛି ୭୫ ପ୍ରତିଶତ ମାମଲା । ଦିଲ୍ଲୀ-ମୁମ୍ୱାଇ-କୋଲକାତାରେ କେବଳ ଦେଶର ମୋଟ୍ ସଂକ୍ରମଣର ୭୫ ଭାଗ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ପରି ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ବଡ ସହରର ଏ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହେଲାଣି ।

ଦେଶରେ ବଡ ସହରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଏପରି ହେଲାଣି ଏହା କରୋନାର କ୍ୟାପିଟାଲ କହିଲେ କିଛି ଭୁଲ ହେବନାହିଁ । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ୪ ଶହ ଅତିକ୍ରମ କଲାଣି । ଦିଲ୍ଲୀରେ ପଜିଟିଭିଟି ହାର ୬ ଅତିକ୍ରମ କରିବା ପରେ ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲାଗୁ କଲେଣି ।
– ଗତ ୫ ଦିନରେ ଦେଶରେ ସଂକ୍ରମଣ ୫ ଗୁଣା ବୃଦ୍ଧି
– ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ଟପିଲାଣି
– କେବଳ ମୁମ୍ୱାଇରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି
– ଦେଶର ମୋଟ୍ ସଂକ୍ରମଣର ୭୫ ପ୍ରତିଶତ ମୁମ୍ୱାଇ-ଦିଲ୍ଲୀ-କୋଲକାତାରେ

ଦେଶରେ ବଢୁଥିବା କରୋନା ସ୍ଥିତିକୁ ନେଇ କୋଭିଡ ଟାସ୍କଫୋର୍ସର ଏମିତି ରିପୋର୍ଟ ଚିନ୍ତାଜନକ । ବିଶେଷ କରି ଦିଲ୍ଲୀରେ ମୋଟ୍ ନମୂନା ପରୀକ୍ଷାର ୮୧ ପ୍ରତିଶତ ଓମିକ୍ରନ ଆସିବା ସତର୍କ ଘଂଟି ବଜାଇଲାଣି । ଓମିକ୍ରନ ଅଧିକ ସାଂଘାତିକ ସ୍ଥିତି ସୃଷ୍ଟି କରୁନି, କିନ୍ତୁ ସଂକ୍ରମଣ ବେଗ ଅଧିକ ଚିନ୍ତା ବଢାଇ ଦେଇଛି ।

ଦିଲ୍ଲୀରେ ସଂକ୍ରମଣ ଏତେ ଅଧିକ ହେବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଟିକିଏ ହେଲେ ବି ଖାତିର ନାହିଁ । ଦିଲ୍ଲୀର ଓଖଲା ମଣ୍ଡି ବଜାରରେ ଭିଡ ଏମିତି ଯେମିତି ଆପଣ ପାଦ ବି ପକାଇ ପାରିବେନି । ଦିଲ୍ଲୀରେ କରୋନା କଟକଣା ପରେ ଦିଲ୍ଲୀର ମେଟ୍ରୋ ଏବଂ ବସ୍ ଯାତ୍ରୀଙ୍କ ଭିଡ ମଧ୍ୟ ଚିନ୍ତା ବଢାଇଛି । ସରକାର ୫୦ ପ୍ରତିଶତ ଯାତ୍ରା କଟକଣା ଲାଗୁ କରିବା ପରେ ଦେଖା ଦେଇଛି ସମସ୍ୟା । ଶେଷରେ ଦିଲ୍ଲୀ ସରକାର ପୁରା ସିଟ କ୍ଷମତାରେ ବସ୍ ଓ ମେଟ୍ରୋ ଚଳାଚଳ ଅନୁମତି ଦେଇଛନ୍ତି ।

ମୁମ୍ୱାଇରେ ଦୈନିକ ସଂକ୍ରମଣ ଟପିଲାଣି ୮ ହଜାର । ୯୦ ପ୍ରତିଶତ ମାମଲାରେ ନାହିଁ କୌଣସି ଲକ୍ଷଣ । ସଂକ୍ରମଣକୁ ଦେଖି ମୁମ୍ୱାଇରେ ବନ୍ଦ ହେଲାଣି ସ୍କୁଲ କଲେଜ । ହଠାତ୍ ସମସ୍ତ ସ୍କୁଲ ଗୁଡିକରେ ପାଠ ପଢା ବନ୍ଦ କରିବାକୁ ମୁମ୍ୱାଇ ମହାନଗର ନିଗମ କଡା ନିୟମ ପ୍ରଣୟନ କରିଛନ୍ତି । କାରଣ ଶିଶୁ ଓ କିଶୋରଙ୍କୁ ଏହି ସଂକ୍ରମଣ ଠାରୁ ଦୂରେଇ ରଖିବା ବଡ କଥା । ସେହିପରି ପଶ୍ଚିମବଙ୍ଗରେ ବନ୍ଦ ରହିଛି ସ୍କୁଲ କଲେଜ । କର୍ଣ୍ଣାଟକରେ ମଧ୍ୟ ସ୍କୁଲ ବନ୍ଦ । ତେଲେଙ୍ଗାନା ସମାନ ବାଟ ଆପଣାଇଲାଣି । ଓଡିଶାରେ ପ୍ରଥମରୁ ପଞ୍ଚମ ଯାଏଁ ଖୋଲିବାକୁ ଥିବା ସ୍କୁଲକୁ ଆଗାମୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଦେଶରେ ୧୭ ଶହ ଟପିଲାଣି ଓମିକ୍ରନ ମାମଲା । ସବୁଠାରୁ ଅଧିକ ମହାରାଷ୍ଟ୍ରରେ ୫୧୦ ଛୁଇଁଛି । କୋଭିଡ ଟାସ୍କଫୋର୍ସ ରିପୋର୍ଟ ଅନୁସାରେ ଦେଶରେ ଗତକାଲି ଅପେକ୍ଷା ସଂକ୍ରମଣ ୨୨ ପ୍ରତିଶତ ବୃଦ୍ଧି ହୋଇଛି । ଏପରି ଅବସ୍ଥାରେ ଦେଶରେ ୧୫ ବର୍ଷରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଏକ ବଡ ଚ୍ୟାଲେଂଜ । ଜାନୁଆରୀ ୩ ତାରିଖରୁ ଏହାକୁ ବିଭିନ୍ନ ରାଜ୍ୟରେ ଜୋର କରାଯାଇଛି । ପ୍ରଥମ ଦିନରେ ଦେଶରେ ପ୍ରାୟ ୪୧ ଲକ୍ଷ କିଶୋର ଟିକା ନେଇଛନ୍ତି । ଦେଶବ୍ୟାପୀ ବିଭିନ୍ନ ସ୍କୁଲ, ଟିକାକରଣ କେନ୍ଦ୍ର ଏବଂ ହସ୍ପିଟାଲରେ ଏହି କିଶୋରଙ୍କ ଟିକାକରଣ ଚାଲୁଛି । କରୋନାରୁ ବର୍ତିବାକୁ ଟିକାକୁ ନେଇ କିଶୋରଙ୍କ ମଧ୍ୟରେ ବଡ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।

ବିଦେଶରେ କରୋନାର ସଂକ୍ରମଣ ହାର କମୁଥିବା ବେଳେ ଭାରତରେ ସଂକ୍ରମଣ ହାର ହଠାତ୍ ବଢି ଚାଲିଛି । ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ତାମିଲନାଡୁ ପରି ରାଜ୍ୟରେ ସଂକ୍ରମଣ ବଢୁଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ଦେଶରେ କଣ ତୃତୀୟ ଲହର ଆସିଗଲାଣି । କାରଣ ଡେଲଟାକୁ ପଛରେ ପକାଇ ଓମିକ୍ରନ ଆକ୍ରାନ୍ତ ସଂଖା ବଢିବା ଏ ଦିଗକୁ ଇସାରା କଲାଣି । ଆରମ୍ଭରୁ ଏହାକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇପାରିଲେ, ଆଗକୁ ସ୍ଥିତି ନିୟନ୍ତ୍ରଣକୁ ଆସିପାରେ । ଏଥିପାଇଁ ବିଭିନ୍ନ ରାଜ୍ୟ କରୋନା କଟକଣା ଯେପରିକି ରାତ୍ରି କର୍ଫ୍ୟୁ, ୱିକେଣ୍ଡ କର୍ଫ୍ୟୁ, ୫୦ ପ୍ରତିଶତରେ ସରକାରୀ ଅଫିସ ଚାଲିବା ପରି ବାଟ ଗ୍ରହଣ କରିନେଲେଣି ।