ସାଂଘାତିକ ହୋଇପାରେ ତୃତୀୟ ଲହର । ସତର୍କ ରହିବାକୁ ପରାମର୍ଶ ଦେଲେ ବରିଷ୍ଠ ଡାକ୍ତର । ଦୁଇ ଡୋଜ୍ ଟିକା ନେବା ପରେ ବି ରହିବାକୁ ପଡ଼ିବ ସତର୍କ

731

କନକ ବ୍ୟୁରୋ: ତୃତୀୟ ଲହରକୁ ନେଇ ଆଶଙ୍କା ବଢୁଥିବା ବେଳେ କିଛି ବରିଷ୍ଠ ଡାକ୍ତରଙ୍କ ମତରେ ଏହା ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘାତିକ ହୋଇପାରେ । କାରଣ ତୃତୀୟ ଲହରରେ ଅଧିକ ମ୍ୟୁଟେସନ୍ ଓ ଅଧିକ ସଂକ୍ରାମକ ହେବା ଆଶଙ୍କା ରହିଛି । ଟିକା ନେଇନଥିବାରୁ ପିଲାମାନେ ଅଧିକ ଅସୁରକ୍ଷିତ ରହିବା ସମ୍ଭାବନା ଥିବାରୁ ସେମାନେ କିପରି ସଂକ୍ରମଣରୁ ଦୂରେଇ ରହିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଦୁଇ ଡୋଜ୍ ଟିକା ନେଇଗଲେ, ଆମେ କରୋନାରୁ ସଂପୂର୍ଣ୍ଣ ସୁରକ୍ଷିତ ହୋଇଗଲେ ବୋଲି ଭାବିବା ଠିକ୍ ନୁହେଁ ବୋଲି କହିଛନ୍ତି ଡାକ୍ତର । ତେବେ ସଂକ୍ରମଣ ଆଶଙ୍କା କମ୍ ରହିବ । ଦ୍ୱିତୀୟ ଡୋଜ୍ ଟିକା ନେବାର ଦୁଇ ସପ୍ତାହରୁ ୩ ସପ୍ତାହ ମଧ୍ୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ତେବେ ଏହି ସମୟ ମଧ୍ୟରେ ଅଧିକ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଡାକ୍ତର ।

ଗତ ୨୪ଘଂଟାରେ ରାଜ୍ୟରେ ୩,୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ-ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ରହିଛି ୫.୩୮ ପ୍ରତିଶତ । ସେପଟେ ଦେଶରେ ୮୧ ଦିନ ପରେ ୬୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଂଟାରେ ୫୮,୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୭୬ ଜଣଙ୍କ ମୃତ୍ୟୁ ହୋଇଛି ।