କନକ ବ୍ୟୁରୋ : ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ସହ ସିରିଜ୍ କବଜା କରିଥିବା ଟିମ୍ ଇଣ୍ଡିଆ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳିବ । ତେବେ ତୃତୀୟ ମ୍ୟାଚରେ ବିରାଟ କୋହଲି ଓ ରିଷଭ ପନ୍ତ ଖେଳିବେନି ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ତେଣୁ ତୃତୀୟ ମ୍ୟାଚରେ ଅନେକ ଗୁଡିଏ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଖାସକରି ପ୍ରଥମ ଦୁଇଟି ଟି-୨୦ରେ ସୁଯୋଗ ପାଇନଥିବା ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ମିଳିପାରେ । ଋତୁରାଜ ଆଜି ମ୍ୟାଚ୍ ଖେଳି ଅର୍ନ୍ତଜାତୀୟ ପଦାର୍ପଣ କରିପାରନ୍ତି । ସେହିଭଳି ଚହଲଙ୍କୁ ବିଶ୍ରାମ ଦେଇ କୁଳଦୀପ ଯାଦବଙ୍କୁ ମଧ୍ୟ ଆଜି ସୁଯୋଗ ଦେଇପାରନ୍ତି ରୋହିତ । ତେବେ କୋଲକାତାରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ ।

Advertisment

ଅନ୍ୟପଟେ ତୃତୀୟ ଟି-୨୦ ମ୍ୟାଚ୍ ଜିତି କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ତେବେ ପୂର୍ବରୁ ଦିନିକିଆ ସିରିଜ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ ଶେଷ ଟି-୨୦ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ । କାରଣ ଚଳିତଥର ଭାରତ ଗସ୍ତରେ ସମସ୍ତ ମ୍ୟାଚ୍ ହାରିଛି ୱେଷ୍ଟଇଣ୍ଡିଜ । ଏପରିକି ଦ୍ୱିତୀୟ ଟି-୨୦ ମ୍ୟାଚରେ ଦଳ ପାଖରେ ବିଜୟର ସୁଯୋଗ ଥିଲେ ମଧ୍ୟ ଏହାକୁ ହାସଲ କରିପାରିନଥିଲା କାରବିଆନ ଟିମ୍ । ସେହିଭଳି ଆଜି ମ୍ୟାଚରେ ଯଦି ଚହଲଙ୍କୁ ଟିମରେ ସାମିଲ କରାଯାଏ ତେବେ ବୁମରାହଙ୍କ ରେକର୍ଡ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଉଭୟ ଚହଲ ଓ ବୁମରାହ ଏଯାବତ ଟି-୨୦ ଭାରତ ପକ୍ଷରୁ ୬୬ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ତେଣୁ ଆଜି ମ୍ୟାଚରେ ଚହଲ ଗୋଟିଏ ବି ୱିକେଟ ନେଲେ ବୁମରାହଙ୍କ ରେକର୍ଡ ଭାଙ୍ଗିବ ।