କନକ ବ୍ୟୁରୋ : ରାତି ପାହିଲେ ନିର୍ବାଚନ । ବୁଥ୍ ଅଭିମୁଖେ ପୁଲିଂ ଅଧିକାରୀ । କିଛି କର୍ମଚାରୀ ପହଂଚି ସାରିଛନ୍ତି । ଆଉ କିଛି ଲକ୍ଷ୍ୟ ସ୍ଥଳ ଅଭିମୁଖେ । ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୬ ଲୋକସଭା: ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀ ଭଳି ହାଇପ୍ରୋଫାଇଲ ଆସନରେ ଭୋଟ୍ ପଡିବାକୁ ଯାଉଛି । ଏହା ଅଧିନରେ ଥିବା ସମସ୍ତ ୪୨ ବିଧାନସଭା ପାଇଁ ମତଦାନ ପାଇଁ ମଧ୍ୟ ପ୍ରସ୍ତୁତି ସରିଛି ।

Advertisment

ତୃତୀୟ ପର୍ଯ୍ୟାୟରେ ୪୪୭ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷୀ । ୬ଟି ଲୋକସଭା ଆସନ ପାଇଁ ୬୪ ପ୍ରାର୍ଥୀ, ମୈଦାନରେ ଥିବାବେଳେ ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୋଟ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ନେତା ବାଛିବେ । ଏଥିପାଇଁ ୧୦ହଜାର ୫୫୧ ମତଦାନ କେନ୍ଦ୍ର କରାଯାଇଛି । ଏଥିରୁ ୨୦% ବୁଥ ସମ୍ବେଦନଶୀଳ ରହିଛି । ଶାନ୍ତିଶୃଙ୍ଖଳା ପାଇଁ ୩୫ ହଜାର ପୁଲିସ ଫୋର୍ସ ନିୟୋଜିତ ହେବେ ।

ଏହି ପର୍ଯ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ନଗେନ୍ଦ୍ର ପ୍ରଧାନ, ରୁଦ୍ର ନାରାୟଣ ପାଣି, ଭର୍ତୃହରି ମହତାବ, ସଂତୃପ୍ତ ମିଶ୍ର, ସମ୍ବିତ ପାତ୍ର, ଅରୁବ ପଟ୍ଟନାୟକ, ଅପରାଜିତା ଷଡଙ୍ଗୀ ଏବଂ ମନ୍ମଥ ରାଉତରାୟଙ୍କ ଭଳି ବଡ଼ ବଡ଼ ଚେହେରାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଏପଟେ ଭୋଟ୍ ପାଇଁ
ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ସମ୍ବଲପୁରରେ ୧୪୪ ଧାରା ଜାରି କରାଯାଇଛି ।

ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୪୨ ବିଧାନସଭା ଆସନ ମଧ୍ୟରୁ ୨୦୧୯ରେ ବିଜେଡି ୩୪, ବିଜେପି ୦୬ ଏବଂ କଂଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା । ସେହିପରି ୬ଟି ଲୋକସଭା ଆସନରୁ ବିଜେଡି ଖାତାକୁ ୪ଟି ଆସନ ଯାଇଥିବା ବେଳେ ୨ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା ବିଜେପି ।

ବିଧାନସଭା (୪୨)    ଲୋକସଭା(୦୬)
ବିଜେଡି: ୩୪           ବିଜେଡି:୦୪
ବିଜେପି: ୦୬          ବିଜେପି:୦୨
କଂଗ୍ରେସ: ୦୨        କଂଗ୍ରେସ:୦୦

ସେପଟେ ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ମତଦାନ ହେବ । ଯେଉଁଥିରେ ବିିହାର ୮ଟି, ହରିୟାଣାର ୧୦ଟି, ଜମ୍ମୁ-କାଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪ଟି, ଦିଲ୍ଲୀର ସମସ୍ତ ୭ଟି, ଓଡ଼ିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି ଏବଂ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନ ପାଇଁ ଭୋଟ୍ ପଡ଼ିବ ।