ଦୁଇ କୋଟି ଲୋକଙ୍କୁ କେମିତି ଦିଆଯିବ ଟିକା? ସାରା ରାଜ୍ୟରେ ଟିକା ପାଇଁ ଆରମ୍ଭ ହୋଇ ପାରେ ପ୍ରବଳ ଭିଡ । ୧୫ଶହରୁ ମାତ୍ର ୬ଶହ କେନ୍ଦ୍ରରେ ଚାଲିଛି ଟିକାଦାନ ।

282

କନକ ବ୍ୟୁରୋ: ମେ’ ୧ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗକୁ ଏହି ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯାଇଛି । ରାଜ୍ୟର ପ୍ରାୟ ୨ କୋଟି ଲୋକ ତୃତୀୟ ପର୍ଯ୍ୟାୟରେ ଟିକା ନେବେ । ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଏହି ବର୍ଗର ଟିକାକରଣ ପାଇଁ କୋ-ଇନ୍ ପୋର୍ଟାଲରେ ପଂଜିକରଣକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୮ ତାରିଖରୁ ଏ ନେଇ ପଂଜିକରଣ ଆରମ୍ଭ ହେବ । ଟିକାଦାନ କେନ୍ଦ୍ର ମଧ୍ୟ ଚୟନ କରିବାକୁ ହେବ । ସ୍ଲଟ ବୁକ୍ କରିବା ପରେ କିଏ କେଉଁଦିନ, କେଉଁଠି ଟିକା ନେବେ, ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ମେସେଜ୍ ମାଧ୍ୟମରେ ଜଣାଇ ଦିଆଯିବ । ଟିକାକରଣର ପୂରା ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ କରାଯିବ ।

ତୃତୀୟ ପର୍ଯ୍ୟାୟ ଟିକାକରଣ

  • କୋ-ଇନ୍ ପୋର୍ଟାଲରେ ହେବ ପଞ୍ଜିକରଣ
  • ୨୮ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ
  • ଟିକାଦାନ କେନ୍ଦ୍ର ଚୟନ କରିବାକୁ ହେବ
  • ଟିକାକୁ ଦୃଷ୍ଟିରେ ରଖି ସ୍ଲଟ ବୁକ୍ କରାଯିବ
  • ଟିକାଦାନ ତାରିଖ ଓ ସମୟ,ମେସେଜ୍ ମାଧ୍ୟମରେ ଜଣାଇ ଦିଆଯିବ
  • ଟିକାକରଣ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ

କରୋନା ମୁକାବିଲାରେ ଟିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉ ଥିବାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ସବୁ କିଛି ନିର୍ଭର କରୁଛି, କେତେ ପରିମାଣର ଟିକା ଉପଲବ୍ଧ ହେଉଛି । ଫଳରେ ଏହି ପର୍ଯ୍ୟାୟ ଟିକାକରଣର ସଫଳତାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ ପାଇଁ ରାଜ୍ୟରେ ୧୪୭୬ ଟିକାକରଣ କେନ୍ଦ୍ର ସକ୍ରିୟ ରହିଥିଲା । ଟିକା ଅଭାବରୁ ସେଥିରୁ ଅନେକ ଟିକାକେନ୍ଦ୍ର ବନ୍ଦ ରହିଛି । ତୃତୀୟ ପର୍ଯ୍ୟାୟରେ ଅଧିକ ଲୋକ ଟିକା ନେବାକୁ ଥିବା ବେଳେ କିପରି ଏହି ପର୍ଯ୍ୟାୟ ଟିକାକରଣକୁ ସଫଳ କରାଯିବ, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି ।

ସରକାରୀ ଡାକ୍ତରଖାନାରେ ଟିକା ମାଗଣା ଦିଆଯିବାକୁ ଥିବା ବେଳେ ଘରୋଇ ହସପିଟାଲ ଟଙ୍କା ଦେବାକୁ ପଡ଼ିବ । ତେବେ କେତେ ଟଙ୍କାରେ ଟିକା ଦିଆଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଘରୋଇ ହସପିଟାଲରେ ଟିକା ନେବା ମହଙ୍ଗା ହେଲେ ସରକାରୀ ଟିକାକେନ୍ଦ୍ରରେ ଅଧିକ ଚାପ ପଡିବ, ତେଣୁ ଏହାକୁ କିରପି ପରିଚାଳନା କରାଯିବ, ତାହା ହିଁ ସବୁଠୁ ବଡ଼ ଆହ୍ୱାନ ।

ଟିକକରଣ ନେଇ ଦ୍ୱନ୍ଦ୍ୱ

  • ପ୍ରଥମ ଦୁଇ ପର୍ଯ୍ୟାୟ ପାଇଁ ରାଜ୍ୟରେ ସକ୍ରିୟ ଥିଲା ୧୪୭୬ କେନ୍ଦ୍ର
  • ଟିକା ଅଭାବରୁ ଅନେକ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ
  • ତୃତୀୟ ପର୍ଯ୍ୟାୟ ପାଇଁ ଆହୁରି ଅଧିକ ଟିକାକେନ୍ଦ୍ର ଆବଶ୍ୟକ
  • ଘରୋଇ ହସପିଟାଲରେ କେତେ ଟଙ୍କା ଦେବାକୁ ହେବ?
  • ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତି କିପରି ଦ୍ୱିତୀୟ ଡୋଜ୍ ନେବେ?
  • କରୋନା ଆକ୍ରାନ୍ତ ବ୍ୟକ୍ତି ଟିକା ନେଇପାରିବେ କି ନାହିଁ?

ରାଜ୍ୟରେ ଏପର୍ଯ୍ୟନ୍ତ ଦିଆଯାଇଛି ୫୫ ଲକ୍ଷ ୫୦ ହଜାରରୁ ଅଧିକ ଟିକା ଦିଆଯାଇଛି । ୩ କୋଟି ୭୭ ଲକ୍ଷ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍ ଯୋଗାଇ ଦେବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।