ଦେଶରେ କରୋନା ସଂକ୍ରମଣର ସୁନାମି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ମୁହାଁ । ଏପଟେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ବଢିଲା ସନ୍ଦେହ ।

232

କନକ ବ୍ୟୁରୋ: ଦେଶରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୩ଲକ୍ଷ ୭୯ହଜାର ୨ଶହ ୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୩ହଜାର ୬ଶହ ୪୫ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ୩୦ଲକ୍ଷ ୮୪ହଜାର ୮୧୪ ଆକ୍ଟିଭ ମାମଲା ରହିଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁ ଏବେ ନୂଆ ନୂଆ ରେକର୍ଡ କରୁଛି ।

ଦେଶରେ ଦ୍ରୁତ ସଂକ୍ରମଣ ଚାଲିଥିବା ବେଳେ ମେ ପହିଲାରେ ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଯେଉଁଥିରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ ।

  • ସନ୍ଦେହରେ ତୃତୀୟ ପର୍ଯ୍ୟାୟ ଟିକାକରଣ
  • ଟିକା ଅଭାବ ସାଜିଲା ବଡ ବାଧକ
  • ହାତ ଟେକିଦେଲେ ଏକାଧିକ ରାଜ୍ୟ

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବୁଧବାର ରେଜିଷ୍ଟ୍ରେସନର ପ୍ରଥମ ଦିନରେ ଟିକା ନେବା ପାଇଁ ୧.୩୩ କୋଟି ପଞ୍ଜିକରଣ କରିଛନ୍ତି । ଏପଟେ ପର୍ଯ୍ୟାପ୍ତ ଟିକା ନଥିବାରୁ ମେ ପହିଲାରୁ ଟିକା କରଣ କରିପାରିବେ ନାହିଁ ବୋଲି ଦିଲ୍ଲୀ, ଓଡିଶା, ଜାମ୍ମୁକାଶ୍ମୀର, ରାଜସ୍ଥାନ, ପଶ୍ଚିମବଙ୍ଗ ସରକାର କହିଛନ୍ତି । ଗୋଟିଏ ଦିନରେ ଏକ କୋଟି ୩୩ ଲକ୍ଷ ଟିକା ପାଇଁ ପଞ୍ଜିକରଣ କରିବା ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଅନ୍ୟପଟେ ଏକାଧିକ ରାଜ୍ୟରେ ଟିକା ଅଭାବରୁ ବୟସ୍କ ଲୋକଙ୍କ ପାଇଁ ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉ ନାହିଁ ।