ଦମ୍ ଦେଖାଇଲା ଦେଶୀ ଟିକା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନର ପ୍ରଭାବ ହାର ୮୧ ପ୍ରତିଶତ । କୋଭିସିଲ୍ଡ ଠାରୁ ଅଧିକ ପ୍ରଭାବି ହେଲା ମୋଦି ଓ ନବୀନ ନେଇଥିବା କୋଭାକ୍ସିନ୍ ।

403

କନକ ବ୍ୟୁରୋ : ଦମ ଦେଖାଇଲା ଦେଶୀ ଟିକା । ଯେଉଁ ଟିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି, ଯେଉଁ ଟିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ସେହି ଟିକାର ଆଜି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହାର ସଫଳତା ହାର ବା ପ୍ରଭାବ ହାର ୮୧ ପ୍ରତିଶତ ରହିଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୫ହଜାର ୮୦୦ଜଣଙ୍କ ଠାରେ ଏହି ପରୀକ୍ଷଣ କରାଯାଇଥିଲା । ଭାରତରେ ପ୍ରସ୍ତୁତ ଭାରତ ବାୟୋଟେକର ଏହି ଦେଶୀ ଟିକା ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କୋଭିସିଲଡ ଟିକା ଠାରୁ ଅଧିକ ପ୍ରଭାବି ବୋଲି ଜଣାପଡିଛି । କୋଭିସିଲ୍ଡ ଟିକାର ପ୍ରଭାବ ହାର ହେଉଛି ୭୦ ପ୍ରତିଶତ ।

ମାର୍ଚ୍ଚ ୧ ତାରିଖରେ ଦିଲ୍ଲୀ ସ୍ଥିତ ଏମସରେ ସମ୍ପୂର୍ଣ୍ଣ ଦେଶୀ ଟିକା କୋଭାକସିନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ବାର୍ତ୍ତା ଦେବା ପାଇଁ ଚାହୁଁଥିଲେ, ଏହି ଦେଶୀ ଟିକା ଉପରେ ଆପଣ ଭରସା କରିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାର ଡିସପେନସରିରେ ଏହି ଦେଶୀ ଟିକା କୋଭାକସିନ ନେଇଥିଲେ ।

ଦମ୍ ଦେଖାଇଲା ଦେଶୀ ଟିକା । କୋଭାକସିନର ସଫଳତା ହାର ୮୧ ପ୍ରତିଶତ । ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକର ‘କୋଭାକସିନ’ ଟିକା ଆଜି ସବୁ ଆଲୋଚନା ସମାଲୋଚନା ଉପରେ ପୁର୍ଣ୍ଣଚ୍ଛେଦ ପକାଇଛି ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ
୧. କରୋନା ମୁକାବିଲାରେ ୮୧ ପ୍ରତିଶତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେଇପାରିବ ଟିକା
୨. ଅତି କମ କ୍ଷେତ୍ରରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଛି
୩. ତୃତୀୟ ପର୍ଯ୍ୟାୟରେ ୨୫ହଜାର୮ଶହ ଜଣଙ୍କ ଠାରେ ପରୀକ୍ଷା କରାଯାଇଛି
୪. ଏମାନଙ୍କ ମଧ୍ୟରୁ ୪୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି
୫. ଏହି ଟିକା ବ୍ରିଟେନ ଷ୍ଟ୍ରେନକୁ ମଧ୍ୟ ମୁକାବିଲା କରିପାରିବ
୬. ୩ଟି ପର୍ଯ୍ୟାୟରେ ୨୭ ହଜାର ଲୋକଙ୍କ ଠାରେ ଏହି ପରୀକ୍ଷା କରାଯାଇଛି

ଆମ ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିଥିବା ବେଳେ ତା ମଧ୍ୟରେ କୋଭାକସିନ ରହିଛି । ଅନ୍ୟଟି ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କୋଭିସିଲଡ ଟିକା । ଏହାର ସଫଳତା ହାର ୭୦ ପ୍ରତିଶତ । ଅର୍ଥାତ କୋଭିସିଲଡ ଠାରୁ ଭାରତୀୟ ଟିକା କୋଭାକସିନ ଅଧିକ ପ୍ରଭାବି ।