ରାତି ପାହିଲେ ୧୯ ମହାସଂଗ୍ରାମର ତୃତୀୟ ଫାଇଟ୍ ! ରଣାଙ୍ଗନ କ୍ଷେତ୍ରରେ ୪୧୭ ସିପାହୀ, କାହାର ସାଥ୍ ଦେବେ ଜନତା ?

138

କନକ ବ୍ୟୁରୋ: ରାତି ପାହିଲେ ୧୯ ମହାଯୁଦ୍ଧର ତୃତୀୟ ବିଗ୍ ଫାଇଟ୍ । ସମର ସଜ୍ଜା କରି ନିଜ ନିଜ କ୍ଷେତ୍ରରେ ପ୍ରସ୍ତୁତ ରହିଛନ୍ତି ସିପାହୀ । ଜନତା ଜନାର୍ଦ୍ଦନଙ୍କ ସାଥ୍ ପାଇଲେ ବିଜୟ ଧ୍ୱଜା ଉଡ଼ାବେ ବୋଲି ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରତିଦ୍ୱନ୍ଦିଙ୍କ ସୁପ୍ରିମୋ । ଆସନ୍ତା କାଲି ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା, ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନରେ ହେବ ତୃତୀୟ ପର୍ୟ୍ୟାୟ ବ୍ୟାଟେଲ୍ । ଆଉ ଜନତା ଜନାର୍ଦ୍ଦନ ନିଜ ନିଜ କ୍ଷେତ୍ର ପାଇଁ ସିପାହୀଙ୍କୁ ବାଛିବା ପାଇଁ ମତଦାନ ମୈଦାନକୁ ଓହ୍ଲାଇବେ ।

ଆସନ୍ତାକାଲିର ତୃତୀୟ ପର୍ଯ୍ୟାୟ ମହାଲଢ଼େଇରେ ୬ଟି ସଂସଦୀ କ୍ଷେତ୍ର ପାଇଁ ପ୍ରମୁଖ ଦଳର ୬୧ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ଆଉ ସେମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ । ଏହି ନିର୍ବାଚନରେ ୬୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଜାତୀୟ ଦଳର, ୬ ଜଣ ରାଜ୍ୟସ୍ତରୀୟ ଦଳର, ୨୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିପକ୍ଷଭାବେ ସାମ୍ନାସାମ୍ନି ହେବେ ।

ସେହିଭଳି ସଂସଦୀୟ କ୍ଷେତ୍ରକୁ ସୁରକ୍ଷା ଦେବାପାଇଁ ୪୨ଟି ବିଧାନସଭା ଗଡ଼ରେ ସାମ୍ନାସାମ୍ନି ହେବେ ୩୫୬ ଜଣ ପ୍ରାର୍ଥୀ । ଆଉ ସେମାନଙ୍କ ମଧ୍ୟରେ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ଜାତୀୟ ଦଳର, ୪୨ ଜଣ ରାଜ୍ୟସ୍ତରୀୟ ଦଳର, ୯୦ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୧୦୩ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲିର ତୃତୀୟ ପର୍ଯ୍ୟାୟ ଫାଇଟ୍ ୧୦,୪୬୪ ବୁଥରେ ୪୭ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର, ୪୪ଲକ୍ଷ ୫୬ହଜାର ୭୨୯ ଜଣ ମହିଳା ଭୋଟର ଓ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଆଉ ୨୦୧୯ କୁରୁକ୍ଷେତ୍ରରେ ନିଜ ନିଜ ଅଞ୍ଚଳର ସିପାହୀଙ୍କୁ ବାଛିବେ ଜନତା ।