ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ଦେଲେ ୭୧.୬୧% ଭୋଟର । ଆଗରେ କେନ୍ଦୁଝର, ପଛରେ ଭୁବନେଶ୍ୱର ।

153

କନକ ବ୍ୟୁରୋ: ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୭୧.୬୧ ପ୍ରତିଶତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ତେବେ ଚୂଡ଼ାନ୍ତ ଭୋଟ୍ ହାର ପ୍ରତିଶତ ନେଇ ଜାତୀୟ ନିର୍ବାଚନ କମିଶନଙ୍କ ତରଫରରୁ ସୂଚନା ମିଳିଛି । ସୂଚନା ମୁତାବକ, କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଥିବାବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି ।

ସେହିଭଳି ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିଥିଲେ ମତଦାତା । ତେବେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ମଧ୍ୟରୁ ମୋଟ୍ ୬୬ ଳକ୍ଷ ୨୯ ହଜାର ୮୪୫ ଜଣ ମତଦାତା ସଚେତନ ନାଗରିକ ଭାବେ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ସମ୍ବଲପୁରରେ ୭୬.୩୮ ପ୍ରତିଶତ, ଢ଼େଙ୍କାନାଳରେ ୭୪.୯୮ ପ୍ରତିଶତ, କଟକରେ ୬୯,୬୫ ପ୍ରତିଶତ, ଏବଂ ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଛି ବୋଲି ଜାତୀୟ ନିର୍ବାଚନ କମିଶନଙ୍କ ତରଫରରୁ ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି ।