ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ ! ଉତ୍ତରପ୍ରଦେଶରେ ବାଜିରେ ଲାଗିଛି ୧୦ଟି ଲୋକସଭା ଆସନର ୧୨୦ ପ୍ରାର୍ଥୀଙ୍କ ଭାଗ୍ୟ ।

58

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ଗୋଟିଏ ରାତି ବାକି । ଆଶା ଆଶଙ୍କାରେ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ । ଜନତା ନିର୍ଦ୍ଧାରଣ କରିବେ ନେତାଙ୍କ ଭାଗ୍ୟ । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି ।

ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୦ଟି ଆସନରେ ମତଦାନ ହେବ । ପ୍ରାୟ ୧ କୋଟି ୭୬ ଲକ୍ଷ ଭୋଟର ୧୨୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପର୍ଯ୍ୟାୟରେ ସମାଜବାଦୀ ପାର୍ଟିର ମଜବୁତ ଗଡ ମୈନପୁରୀ, ଫିରୋଜାବାଦ, ରାମପୁର, ଆଂବଲା, ବରେଲି, ଏଟା, ପିଲିଭିତ ଓ ମୁରାଦାବାଦରେ ଭୋଟିଂ ହେବ । ଚଳିତ ନିର୍ବାଚନରେ ସପା, ବସପା ଓ ରାଷ୍ଟ୍ରୀୟ ଲୋକଦଳର ମେଂଟ ଜାତିଗତ ସମୀକରଣକୁ ନେଇ ମଜବୁତ ମନେ ହେଉଛି ।

ମୈନପୁରୀ ଆସନ ଉପରେ ଯଦି ନଜର ପକାଇବା, ତେବେ ଏହା ହେଉଛି, ମୁଲାୟମଙ୍କ ଗଡ । ସମାଜବାଦୀ ପାର୍ଟିର ସବୁଠୁ ସୁରକ୍ଷିତ ଆସନ ମୈନପୁରୀରୁ ନିର୍ବାଚନ ଲଢୁଛନ୍ତି ଦଳର କୁଳପିତା ମୁଲାୟମ ସିଂ ଯାଦବ । ଯେଉଁଠାରେ ପୂର୍ବ ଶତ୍ରୁତାକୁ ଭୁଲି ମୁଲାୟମଙ୍କ ପାଇଁ ପ୍ରଚାର କରିଥିଲେ ବିଏସପି ସୁପ୍ରିମୋ ମାୟାବତୀ ।

ସେହିପରି ଚର୍ଚ୍ଚିତ ରାମପୁର ଲୋକସଭା ଆସନରେ ସମାଜାବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଓ ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କ ମଧ୍ୟରେ ଟକ୍କର ହେବ । ଜୟପ୍ରଦାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ନିର୍ବାଚନ କମିସନଙ୍କ ରୋଶର ଶିକାର ହୋଇଥିଲେ ଆଜମ ଖାନ ।

ସେପଟେ ଫିରୋଜାବାଦରେ ଏଥର ହେବାକୁ ଯାଉଛି ଯାଦବ ଲଢେଇ । ଫିରୋଜାବାଦରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି ନେତା ତଥା ମୁଲାୟମଙ୍କ ଭାଇ ଶିବପାଲ ଯାଦବ, ସପା ପ୍ରାର୍ଥୀ ଅକ୍ଷୟ ଯାଦବ ଓ ବିଜେପି ପ୍ରାର୍ଥୀ ଚନ୍ଦ୍ର ସେନ ଜାଦୋନଙ୍କ ମଧ୍ୟରେ ମୁକାବିଲା ହେବ । ସଂପର୍କରେ ଶିବପାଲ ଓ ଅକ୍ଷୟ ଯାଦବ କାକା ପୁତୁରା ଅଟନ୍ତି ।