ଫାଣ୍ଡିରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରୀ! ଘରୁ ଉଠାଇନେଇ ନିସ୍ତୁକ ମାଡ ଅଭିଯୋଗ

301

କନକ ବ୍ୟୁରୋ: ବଲାଙ୍ଗୀରରେ ପୁଲିସ ବିରୋଧରେ ପୁଣି ଏକ ସଙ୍ଗୀନ ଅଭିଯୋଗ ଆସିଛି । ସାଲେଭଟା ଫାଣ୍ଡିରେ ନୂଆଁପାଲି ଗାଁର ୭୦ ବର୍ଷିୟ ଅନିରୁଦ୍ଧ ସାହୁ ପୁଲିସ ମାଡରେ ଗୁରୁତର ହୋଇଛନ୍ତି । ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ଅଭିଯୋଗ ଅନୁସାରେ, ଜମିରେ ଧାନକଟାକୁ ନେଇ ଅନିରୁଦ୍ଧଙ୍କ ସହ ତାଙ୍କ ଭାଇଙ୍କ ବିବାଦ ରହିଥିଲା । ଆଉ ଏହି ବିବାଦ ଥାନାକୁ ଯାଇଥିଲା । ପୁଲିସ ଏହି ମାମଲାରେ ଅନିରୁଦ୍ଧଙ୍କ ଥାନାକୁ ଡାକି ପଚରାଉଚରା ବେଳେ ମାଡ ମାରିଥିବା ଅଭିଯୋଗ ହୋଇଛି । ଫାଣ୍ଡିରେ ବେହୋସ ହୋଇଯିବା ପରେ ତାଙ୍କ ଘରଲୋକଙ୍କୁ ଜଣାଥିଲେ ଫାଣ୍ଡିରେ ଥିବା ପୋଲିସ କର୍ମଚାରୀ । ସେଠାରୁ ବେହୋସ ଅବସ୍ଥାରେ ବୃଦ୍ଧଙ୍କୁ ଭୀମଭୋଇ ମେଡିକାଲ କଲେଜ୍ ଆଇସିୟୁରେ ଭର୍ତି କରିଥିଲେ ପରିବାର ଲୋକେ । ନିଜେ ଅନିରୁଦ୍ଧ ଗଣମାଧ୍ୟମକୁ କହିଛନ୍ତି , ପୁଲିସ ତାଙ୍କୁ ମାଡ ମାରିଛି ।

ବଲାଙ୍ଗିର ସାଲେଭଟା ଫାଣ୍ଡିରେ ବୃଦ୍ଧଙ୍କୁ ମାଡ ମାରିବା ମାମଲାରେ ନିଜ ଆଡୁ ନୋଟିସ୍ ଜାରି କରିଛି ଓଡିଶା ହ୍ୟୁମାନ ରାଇଟ୍ କମିଶନ୍ । ବଲାଙ୍ଗିର ଏସପିଙ୍କୁ ଏନେଇ ନୋଟିସ୍ ଜାରି କରାଯାଇଛି । ୨୪ ଘଂଟା ଭିତରେ ଘଟଣାକୁ ନେଇ ରିପୋର୍ଟ ଦେବାକୁ ବଲାଙ୍ଗିର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାଇ ଭାଇ ସହ ବିବାଦ ଭିତରେ ପୋଲିସ ଏଭଳି ଦାଦାଗିରି ଦେଖାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କିଛିଦିନ ତଳେ ବଲାଙ୍ଗିରର ବନ୍ଧପଡା ଥାନାରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଇ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଫାଣ୍ଡି ଅଧିକାରୀ ବଦଳି ହୋଇଥିଲା । ଏବେ ପୁଣି ଏଭଳି ଏକ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।