କନକ ବ୍ୟୁରୋ : ପୁରୀରୁ ଆଉ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ହାଜତ ଭିତରେ ପୁଲିସ୍ର ଥାର୍ଡଡିଗ୍ରିରେ ୫ ଜଣ ଅଭିଯୁକ୍ତ ଗୁରୁତର ହୋଇପଡ଼ିଛନ୍ତି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପୁଲିସ୍ ସେମାନଙ୍କୁ ୭ ଦିନ ଧରି ନିର୍ଘାତ ପିଟି ଚାଲିଥିଲା । ଫଳରେ, ସେମାନଙ୍କ ନୋଳା ବସି ମାଂସ ପଚି ଯାଇଥିବାବେଳେ ମଳଦ୍ବାରରେ ଗଭୀର କ୍ଷତ ହୋଇଛି । ଗତକାଲି ବାସେଳୀ ସାହି ଥାନାରେ ହାଜତ ମୃତ୍ୟୁ ଘଟଣାରେ ସାରାରାଜ୍ୟରେ ତମ୍ବିତୋଫାନ ହେବା ପରେ ପୁଲିସ୍ ମନରେ ଛନକା ପଶିବାରୁ ସେମାନଙ୍କୁ କୋର୍ଟଚାଲାଣ କରିଥିଲା। ଏହାପରେ ସେମାନଙ୍କୁ ନିମାପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ସେମାନଙ୍କର ଅବସ୍ଥା ଦେଖି ଜେଲ୍ କର୍ତ୍ତୃପକ୍ଷ ବି ଫେରାଇ ଦେଇଛନ୍ତି। ଏହାପରେ ସେମାନଙ୍କୁ କଟକ ବଡ଼ମେଡିକାଲ (ଏସ୍ସିବି)କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି । ଏସ୍ସିବି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ, ଏହି ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ପୁରୀ ପୁଲିସ୍ ନିର୍ମମ ଆଚରଣ ସବୁ ସୀମା ସରହଦ ଟପି ଯାଇଥିବା କୁହାଯାଉଛି ।
ଗତକାଲି ପୁରୀର ବାସେଳୀ ସାହି ଥାନାରେ କେ. ରମେଶଙ୍କୁ ପୁଲିସ ବାଡ଼େଇ ବାଡ଼େଇ ମାରିଥିବା ଘଟଣାକୁ ନେଇ ସାରାରାଜ୍ୟରେ ହୋ’ହାଲ୍ଲା ସହ ତୀବ୍ର ପ୍ରତିକ୍ରିୟା ଲାଗିରହିଛି। ଏହିଭଳି ଏକ ଅବସ୍ଥାରେ ହାଜତରେ ଥାର୍ଡଡିଗ୍ରି ଯୋଗୁ ୫ ଜଣ ଗୁରୁତର ହେବା ଘଟଣା ଆହୁରି ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍ର ଆଚରଣ ପ୍ରତି ପ୍ରଶ୍ନ ଉଠିଛି। ଗତକାଲି ପିପିଲି ଥାନାରେ ଏକ ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ପରେ ସେମାନଙ୍କୁ ରାତିରେ ନିମାପଡ଼ା ଜେଲକୁ ପଠାଯାଇଥିଲା। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅସୁସ୍ଥ ସହ ବେହୋସ୍ ଥିଲେ। ଗୁରୁତର ଅସୁସ୍ଥ ଥିବାରୁ ନିମାପଡ଼ା ଜେଲ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ଜେଲ୍ରେ ରଖିନଥିଲେ। ବିନା ଡାକ୍ତରୀ ପରୀକ୍ଷାରେ ଜେଲ୍ରେ ରଖିବେ ନାହିଁ ବୋଲି ମନା କରି ଦେଇଥିଲେ। ପୁଲିସ ନିରାଶ ହୋଇ ଫେରିଥିଲା। ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟତ୍ର ରଖିଥିଲେ। ଆଜି ସକାଳେ ଅଭିଯୁକ୍ତମାନଙ୍କୁ ନିମାପଡ଼ା ମେଡିକାଲ ଅଣାଯାଇଥିଲା। ନିମାପଡ଼ା ମେଡିକାଲରେ ଡାକ୍ତର ଅଭିଯୁକ୍ତଙ୍କ ଅବସ୍ଥା ଦେଖିବା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରତାପ ବେହେରା, ହାପିଜ ଖାନ, ଜଗନ୍ନାଥ ପୁଷ୍ପାଳକ, ମହମ୍ମତ ତଫିକ, ଧରଣୀଧର ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ଅର୍ଜୁନ ବେହେରା ସୁସ୍ଥ ରହିଛନ୍ତି।