କନକ ବ୍ୟୁରୋ : ଖଣ୍ଡଗିରି ମେଳାର ଆଜି ତୃତୀୟ ଦିନ । ଗତକାଲିଠାରୁ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ପୂର୍ଣ୍ଣିମା ପର୍ଯ୍ୟନ୍ତ ଅହରହ ଚାଲିବ ବିଶ୍ୱଶାନ୍ତି ଯଜ୍ଞ । ଅନନ୍ତ ଗୁମ୍ଫା ସମ୍ମୁଖରେ ଗୋସ୍ୱାମୀ ପିତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ଜାଗମରା ପୋଖରୀରୁ ଘଟ ଆଣି ସ୍ଥାପନ କରିଥିଲେ । ଏହି ଅବସରରେ କଳସ ଶୋଭାଯାତ୍ରା ମଧ୍ୟ ହୋଇଥିଲା ।

Advertisment

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା । କରୋନା କଟକଣା ଯୋଗୁ ଏଥର ଫିକା ପଡ଼ିଛି ଖଣ୍ଡଗିରି ମାଘ ମେଳା । ଏଥର ଖଣ୍ଡଗିରି ମେଳାରେ ଜମିନାହିଁ ଭିଡ଼ । ପୂର୍ବରୁ ବିଶ୍ୱଶାନ୍ତି ଯଜ୍ଞ ପାଇଁ ଶହ ଶହ ସଂଖ୍ୟାରେ ସାଧୁ ଆସୁଥିଲେ । ହେଲେ ଚଳିତ ବର୍ଷ ଏହି ସଂଖ୍ୟା ବହୁତ କମ୍ ରହିଛି ।

ଯଜ୍ଞକୁଣ୍ଡ ନିକଟସ୍ଥ ରତ୍ନବେଦୀସ୍ଥିତ ସିଂହାସନରେ ଜଗନ୍ନାଥ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିବେ । ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନ୍ୟ ସନ୍ଥମାନେ ଅଗ୍ନିକୁଣ୍ଡ ସ୍ଥାପନ କରି ଆହୁତି ଦେବା ସହିତ ନାମସଂକୀର୍ତ୍ତନ ଜାରି ରଖିଛନ୍ତି । ଗତକାଲିଠାରୁ ଆରମ୍ଭ ହୋଇଥିବା ରାମଚରିତ ମାନସ ଜାରି ରହିଛି। ସକାଳ ୮-୧୨ ଏବଂ ୨.୩୦-୬ଟା ପର୍ଯ୍ୟନ୍ତ ହେବ । କୋଭିଡ୍‌ କଟକଣା ମଧ୍ୟରେ ଚଳିତ ବର୍ଷ ପ୍ରବଚନ କିମ୍ବା ଭଜନ ହେଉ ନାହିଁ । ପ୍ରତିଦିନ ସକାଳ ୪.୩୦ରୁ ୫ଟା ମଧ୍ୟରେ ମା’ ବାରଭୁଜାଙ୍କ ପ୍ରାର୍ଥନା କରୁଛନ୍ତି ।