କେରଳରେ ତୃତୀୟ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ । ରକ୍ତନମୁନାରୁ ମିଳିଲା କରୋନା ଭାଇରସ ପଜିଟିଭ୍

291

କନକ ବ୍ୟୁରୋ: ଭାରତରେ ତୃତୀୟ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଗୁରୁତ୍ୂପୂର୍ଣ୍ଣ କଥା ହେଉଛି କରୋନା ଆକ୍ରାନ୍ତ ତୃତୀୟ ରୋଗୀ ମଧ୍ୟ କେରଳରୁ ଚିହ୍ନଟ ହୋଇଛି । କେରଳର କସରାଗଡ ଜିଲ୍ଲାରେ ତୃତୀୟ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

ଚୀନର ଉହାନରୁ ଫେରିଥିବା ଜଣେ ମେଡିକାଲ ଛାତ୍ରଙ୍କ ରକ୍ତ ଓ ଲାଳ ନମୁନା ପରୀକ୍ଷଣ ପରେ କରୋନା ପଜିଟିଭି ବାହାରିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା ସୂଚନା ଦେଇଛନ୍ତି ତୃତୀୟ କରୋନା ଆକ୍ରାନ୍ତ ରୋଗୀଙ୍କୁ କଞ୍ଜାଗଡ ଡାକ୍ତରଖାନାର ସ୍ୱତନ୍ତ୍ର ୱାର୍ଡରେ ଭର୍ତି କରାଯାଇଛି । ପୂର୍ବରୁ କରୋନା ସଂକ୍ରମିତ ଦୁଇ ଭାରତୀୟ ମଧ୍ୟ କେରଳରେ ଚିହ୍ନଟ ହୋଇଥିଲା । ତେବେ ତିନି ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ, ଚୀନରେ ଭୟଙ୍କର ହେଉଛି କରୋନା । ବର୍ତମାନ ସୁଦ୍ଧା ଚୀନରେ ୩୬୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେବି  ଏକ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗଜନକ ଅଛନ୍ତି । ଓ ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଚିକିତ୍ସା ଚାଲିଛି । ବିଶ୍ୱବ୍ୟାପୀ ୧୮ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଚୀନ ବାହାରେ ବି କରୋନାଜନିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୪୮ ଘଂଟା ମଧ୍ୟରେ ଚୀନରେ ୩ହଜାର ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏ ଯାଏଁ ୨୩ଟି ଦେଶରେ କରୋନା ଭାଇରସ ପଂହଚିସାରିଛି ଓ ଫିଲିପାଇନ୍ସରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ବିଭିନ୍ନ ରାଷ୍ଟ୍ର ଚୀନରୁ ସେମାନଙ୍କ ନାଗରିକଙ୍କୁ ଫେରାଇ ଆଣୁଛନ୍ତି । ଭାରତ ସରକାର ମଧ୍ୟ କରୋନା ଭାଇରସଙ୍କୁ ନେଇ ଆଡଭାଇଜରି ଜାରି କରିସାରିଛନ୍ତି ।