କନକ ବ୍ୟୁରୋ: ଆପଣଙ୍କ ବାଡିରେ ଯଦି ଲେମ୍ବୁ ଗଛଟିଏ ଅଛି ତାହେଲେ ସତର୍କ ରୁହନ୍ତୁ । କେତେବେଳେ କିଏ ଏହା ଉପରେ କଳାକନା ବୁଲାଇଦେବେ କିଛି କହି ହେଉନି । କାରଣ ଉତ୍ତରପ୍ରଦେଶ ଶାହାଜହାନପୁରରେ ଏଭଳି କିଛି ଘଟଣା ଘଟିବା ପରେ ସୁନା ରୂପା ପରି ଲେମ୍ବୁ ଚୋରୀକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
ଟଙ୍କା , ସୁନା , ରୂପାକୁ ସିନା ଚୋର ଠାକ କରୁଥିଲା । ଏବେ ଲେମ୍ବୁ ଉପରେ ଚୋରର ଆଖି । ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ଖାସ୍ କରି ଲେମ୍ବୁର ଦର କଥା ନକହିବା ଭଲ । ଲେମ୍ବୁ ଦରରେ ଏବେ ନିଆଁ ଲାଗିଛି । ଖରାଦିନେ ଟିକେ ଲେମ୍ବୁ ପାଣିର ସରବତ୍ ପିଇବା ଆଉ ଭାଗ୍ୟରେ ଜୁଟୁନି । ୟାର ଦର କଥା ଶୁଣିଲେ ତ ମନଟା ପୁରା ଖଟା ହୋଇଯାଉଛି । କିଛି ସ୍ଥାନରେ ଲେମ୍ବୁ କେଜି ପିଛା ୩୦୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଗୋଟାକୁ ୧୦ରୁ ୧୮ଟଙ୍କା ଯାଏଁ ବିକ୍ରି ହେଉଛି ।
କହିବାକୁ ଗଲେ ଏବେ ଲେମ୍ବୁ ଯେପରି ଅମୂଲ ମୂଲ ହୋଇଯାଇଛି । ଏଥିପାଇଁ ଏବେ ଏହା ଉପରେ କଳା ନଜର ପକାଉଛନ୍ତି ଚୋର । ତେଣୁ ନିଜ ଘର ବାଡିରେ ଥିବା ଲେମ୍ବୁ ଗଛର ସୁରକ୍ଷା ପାଇଁ ସଚେତନ ରହୁନ୍ତୁ । ଏକଥା କିଛି ମନଗଢା କଥା ନୁହେଁ । ଉତ୍ତରପ୍ରଦେଶ ଶାହାଜାହାନ ପୁରରେ ଘଟିଥିବା ଘଟଣା ଆପଣଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିବ ନିଶ୍ଚୟ । ଶାହାଜାହାନ ପୁରର ଏକ ବଡ ପରିବା ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଅଜବ ଘଟଣା । ଏଠିକାର ଏକ ଜଣାଶୁଣା ତଥା ବଡ ବଜରିୟା ପରିବା ମଣ୍ଡିର ଏକାଧିକ ଗୋଡଡାଉନରେ କଳାକନା ବୁଲାଇଦେଇଛନ୍ତି ଚୋର । ଟଙ୍କା ପଇସା ନୁହେଁ ମଣ୍ଡିରୁ ପାଖାପାଖି ୭୦ କୋଜି ଲେମ୍ବୁ ଚୋରି କରି ନେଇଛନ୍ତି ଚୋର ।
ଦୋକାନୀ ଆସି ପହଞ୍ଚିବା ବେଳକୁ ମଣ୍ଡିରୁ ଲେମ୍ବୁ ଗାଏବ, ।ଚାରିଆଡେ ପନିପରିବା ଛାରଖାର ହୋଇ ପଡିଛି । ଆଉ ଲେମ୍ବୁ ସହ ଅଦା,ରସୁଣ, ପିଆଜ ବି ଗାଏବ କରିଦେଇଛନ୍ତି ଚୋର । ଏହାକୁ ନେଇ ଏବେ ମଣ୍ଡି ମାଲିକ ଓ ପରିବା ବେପାରୀଙ୍କ ମଧ୍ୟରେ ଛନକା ପଶିଛି ।
ଏବେ ଆଉ ଲେମ୍ବୁ ଚୁପୁଡିବାକୁ ପଡୁନି । ଲେମ୍ବୁ ଚୁପୁଡି ଦେଉଛି ଗ୍ରାହକଙ୍କ ପକେଟ୍ । ପୂର୍ବରୁ ୭୦ରୁ ୮୦ ଟଙ୍କା ଭିତରେ ବିକ୍ରି ହେଉଥିବା ଲେମ୍ବୁ ପିଛା ଏବେ ୪୦୦ ଟଙ୍କାରେ ବିକ୍ରି ହେଉଛି । ତେବେ ଏଥିପାଇଁ ପାଣିପାଗକୁ ଦାୟୀ କରୁଛନ୍ତି ଲେମ୍ବୁ ଚାଷୀ । ଯେଉଁ ସମୟରେ ଲେମ୍ବୁ ଗଛରେ ଫୁଲ ଧରିବା କଥା ସେହି ସମୟରେ ଅନିୟମିତ ବର୍ଷା ହେଲା । ଫଳରେ ସବୁ ଫୁଲ ଝଡିପଡିଲା । ପଛପଛାଣିଆ ପୁଣି ଥରେ ଫୁଲ ଧରିବାରୁ ଠିକ୍ ସମୟରେ ଲେମ୍ବୁ ଉତ୍ପାଦନ ହୋଇପାରିଲାନି । ଲେମ୍ବୁ ଦର କମିବାକୁ ଆହରି ୧୫ରୁ ୨୦ ଦିନ ସମୟ ଲାଗିବ ବୋଲି ଚାଷୀ କହିଛନ୍ତି ।