ଚୋର ଫେରାଇଲା ଚୋରି ବାଇକ । ଲକଡାଉନ ପାଇଁ ଘରକୁ ଫେରିବାକୁ ବନ୍ଦ ଥିଲା ଗାଡିମଟର । ସ୍ତ୍ରୀ, ପିଲା ଚାଲିପାରିବେନି ବୋଲି ଗାଡି ଚୋରିକଲା ବାପା । ଗାଁରେ ପହଞ୍ଚିଲା, କୋରିଅରରେ ବାଇକ ଫେରାଇଲା । ଦୁନିଆ ଦେଖିଲା ସଚ୍ଚୋଟ ଚୋରର କାହାଣୀ…

1,978

କନକ ବ୍ୟୁରୋ: ଚୋରି ପରେ ଚୋର ଫେରାଇଲା ବାଇକ । ଅସୁବିଧା ପାଇଁ ଚୋରି କରିଥିଲା, ଘରେ ପହଞ୍ଚି ବାଇକ ଫେରାଇ ଦେଲା । ମହାମାରୀ ବେଳେ ମଣିଷପଣିଆ ଦେଖାଇ ପ୍ରଶଂସା ସାଉଁଟିଲା ସଚ୍ଚୋଟ ଚୋର । ତାଲାବନ୍ଦ ବେଳେ ତାମିଲନାଡୁରୁ ଆସିଲା ସଚ୍ଚୋଟପଣର ସୁନ୍ଦର ଦୃଶ୍ୟ । ଯାହା ଉକ୍ତ ବ୍ୟକ୍ତି ମୁଣ୍ଡରୁ ହଟାଇ ଦେଇଛି ଚୋରର ଟ୍ୟାଗ୍ ।

କୋଏମ୍ବାଟୁର ସୁଲୁର ଅଞ୍ଚଳର ଜଣେ ୱାର୍କସପ ମାଲିକଙ୍କ ବାଇକ ଚୋରି ହୋଇଥିଲା । ଦୋକାନ ଆଗରେ ଗାଡି ଥିବା ବେଳେ ମେ ୧୮ ତାରିଖ ଦିନ ଚୋରି ହୋଇଥିଲା । ପରେ ୱାର୍କସପ ମାଲିକ ସୁରେଶ କୁମାର ଥାନାରେ ଏକ ଚୋରି ଅଭିଯୋଗ କରିଥିଲେ ବି କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ କେହି ତାଙ୍କ କଥା ଶୁଣିବାକୁ ନାହାନ୍ତି ବୋଲି ପୋଲିସ କହିଥିଲା । ତେବେ ସେ ବାଧ୍ୟ ହୋଇ ନିଜ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରିଥିଲେ । ଏବଂ ପରେ ଚୋରର ପରିଚୟ ପାଇଥିଲେ ।

ସୁରେଶଙ୍କ ବାଇକ ଚୋରି କରିଥିବା ଚୋର ଜଣଙ୍କ ହେଉଛନ୍ତି ତାଙ୍କ ୱାର୍କସପ ପାଖାପାଖି ଚା ଦୋକାନରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରଶାନ୍ତ । ତେବେ ଲକଡାଉନ ପାଇଁ କାମଧନ୍ଦା ବନ୍ଦ ଥିବାରୁ ବାହାରେ ଚଳିବା ମୁସକିଲ ଥିଲା ତେଣୁ ବାଧ୍ୟ ହୋଇ ପ୍ରଶାନ୍ତ, ସୁରେଶଙ୍କ ବାଇକ ଚୋରି କରି ନିଜ ଗାଁ ମାନରଗୁଡିକୁ ଯାତ୍ରା କରିଥିଲେ । ସ୍ତ୍ରୀ, ପିଲା ଛୁଆ ନେଇ ପ୍ରାୟ ୨୪୦ କିଲୋମିଟର ବାଇକରେ ଯାଇ ଘରେ ପହଞ୍ଚିବା ପରେ କୋରିଅରରେ ସେ ବାଇକଟିକୁ ଫେରାଇ ଦେଇଥିଲେ । ବାଇକ ଚୋରିର ୧୫ ଦିନ ପରେ ଗାଡି ମାଲିକ ନିଜ ଗାଡି ପାଇ ବେସ୍ ଖୁସି ଥିଲେ । ଆଉ ଅସୁବିଧାରେ ପଡି ଚୋରି କରିଥିବା ଉକ୍ତ ଚୋରକୁ ସାଲ୍ୟୁଟ୍ କରିଥିଲେ ।

ତେବେ କିଛି ଦିନ ତଳେ ଜଣେ ଶ୍ରମିକ ମଧ୍ୟ ସାଇକେଲ ଚୋରି କରି ଏକ ଚିଠି ଛାଡି ଯାଇଥିଲେ । ଯେଉଁଥିରେ ସେ ଲେଖିଥିଲେ ମୁଁ ଜଣେ ଶ୍ରମିକ । ଅସୁବିଧାରେ ପଡି ମୁଁ ଆପଣଙ୍କ ସାଇକେଲ ନେଇ ଆସିଛି । ତେଣୁ ମୁଁ ଆପଣଙ୍କ ପାଖରେ ଦୋଷୀ । ନିଜ ଦିବ୍ୟାଙ୍ଗ ଶିଶୁକୁ ନେଇ ରାଜସ୍ଥାନରୁ ୟୁପି ଆସିବା ପାଇଁ ଶ୍ରମିକ ଜଣଙ୍କ ସାଇକେଲ ଚୋରି କରିଥିଲେ । ଆଉ ଚିଠି ଲେଖି ନିଜ ସଚ୍ଚୋଟତାର ପ୍ରମାଣ ଦେଇଥିଲେ । ତେବେ ସଙ୍କଟ ବେଳେ ସଂଘର୍ଷ କରି ଘରକୁ ଫେରୁଥିବା ଏମିତି କିଛି ଲୋକଙ୍କୁ କଣ ଚୋର କୁହାଯାଇପାରିବ ? ଅସମୟରେ ଅସହାୟ ଲୋକଙ୍କୁ ଚୋର କହିବାକୁ ଆମ ଜିଭ ଲେଉଟିବ ତ ?