ଚୋରକୁ ଧରାଇଲା ଚପଲ । ଘରେ ପଶି ଚୋରି କରି ଚମ୍ପଟ୍ ମାରିଥିଲା ଚୋର । ଛାଡିଯାଇଥିବା ଚପଲ ଦେଲା ଚୋରର ଠିକଣା, ଗିରଫ କଲା ପୋଲିସ ।

1,818

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ତେଲକୋଇରେ ଜଣେ ଚୋର ଚୋରି କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଦୁର୍ଭାଗ୍ୟବଶତଃ ଚୋର ଛାଡ଼ି ଯାଇଥିବା ଚପଲ ପାଇଁ ପୁଲିସ ହାତରେ ଧରାପଡ଼ି ଯାଇଛି । ଗିରଫ ଚୋରର ନାମ  ଧର୍ମେନ୍ଦ୍ର ପଲେଇ ଓ ତା’ର  ଘର ତେଲକୋଇ ଭୁୟାଁସାହିରେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ତେଲକୋଇ ଉଚ୍ଚ ବିଦ୍ୟାଳୟ ନିକଟରେ ପଞ୍ଚାନନ ସାମନ୍ତରାୟ ବସବାସ କରନ୍ତି । ଗତ ୨୦ ତାରିଖ ମଧ୍ୟ ରାତିରେ ଜଣେ ଚୋର ପଞ୍ଚାନନ ସାମନ୍ତରାୟଙ୍କ ଘର କବାଟ ଭାଙ୍ଗି ସୁନା, ଗହଣା ଓ ମୋବାଇଲ ଆଦି ଚୋରି କରି ଏକ ବ୍ୟାଗରେ ଭର୍ତ୍ତି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏହି ଚୋରି ଘଟଣା ବିଷୟରେ ପଞ୍ଚାନନ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ ।

ପ୍ରାଥମିକ ତଦନ୍ତ ବେଳେ ପୁଲିସ୍‌ ପଞ୍ଚାନନଙ୍କ ଘର ପାଖରେ ଥିବା ଏକ ଜମିରୁ ବ୍ୟାଗ ଓ ସୁନାଗହଣାର ଖୋଳ ପାଇବା ସହିତ ଏକ ଚପଲ ବି ପାଇଥିଲା । ଏହି ଚପଲଟି ଚୋରର ବୋଲି ପୁଲିସ ଅନୁମାନ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ସନ୍ଧାନୀ କୁକୁରକୁ ଚୋର ଛାଡ଼ି ଯାଇଥିବା ଚପଲ ଶୁଙ୍ଘାଇ ଥିଲା। ଚୋର ଚପଲ ଶୁଙ୍ଘିବା ପରେ କୁକୁର ଚୋର ରହୁଥିବା ସ୍ଥାନକୁ ବାଟ କଢ଼େଇ ନେଇଥିଲା। ଏହାପରେ ପୁଲିସ ଚୋର ଧର୍ମେନ୍ଦ୍ରକୁ ଗିରଫ କରିଥିଲା।