ସାଧୁ ବେଶରେ ଆସିଲେ, ମହିଳାଙ୍କୁ ଲୁଟିଲେ । ଆଖି ପିଛୁଳାକେ ଦୋକାନରୁ ଲୁଟି ନେଲେ ଟଙ୍କା ଓ ସାମଗ୍ରୀ ।

1,019

କନକ ବ୍ୟୁରୋ : ସାଧୁ ବେଶରେ ଆସିଲେ ଆଉ ଘରେ କଳାକନା ବୁଲାଇ ଚାଲିଗଲେ । ରାଜଧାନୀରେ ଏମିତି ଏକ ଘଟଣା ଏବେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ କିଏ ଏହି ସାଧୁ ଏବଂ ଲୁଟ କରିବାର ତରିକା କଣ ଥିଲା ତାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଆସନ୍ତୁ ଜାଣିବା ସାଧୁ ବେଶରେ ଦୁବୃର୍ତଙ୍କ ଲୁଟତରାଜର କାହାଣୀ ।

ସାଧୁ ବେଶରେ ଲୁଟ୍ । ମିଠା କଥା କହି ବୁଲାଇଲେ କଳାକନା । ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣାକୁ ନେଇ ଗଳିକନ୍ଦିରେ ଚର୍ଚ୍ଚା ।

ଜୁଲାଇ ୧୬ ତାରିଖ, ୨୦୧୯ । ସମୟ-ସାଢେ ୧୦ଟା । ରାଜା ଓ ସୁରେଶ ସାଧୁ ବେଶରେ ପହଂଚିଲେ ଡମଣା ଅଂଚଳର ଶରତ ଚନ୍ଦ୍ର ମଲ୍ଲିକଙ୍କ ଦୋକାନ ଆଗରେ । ସାଧୁଙ୍କୁ ଦେଖିବା ପରେ ଶରତଙ୍କ ପତ୍ନୀ ଉର୍ମିଳା ଝିଅ ହାତରେ ପଠାଇଦେଲେ ୧୦ ଟଙ୍କା । ହେଲେ ସାଧୁ ଏତିକିରେ ସନ୍ତୁଷ୍ଟ ନଥିଲେ । ଶରତଙ୍କ ପତ୍ନୀ ଉର୍ମିଳାଙ୍କୁ ପାଖକୁ ଡାକି ଚଅଁରରେ ଝାଡିବା ଆରମ୍ଭ କରିଦେଲେ । ମିଠା ମିଠା କଥା କହି ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ମୁଣ୍ଡରେ ବିଭୁତି ଲଗାଇ ଦେଲେ । ଉର୍ମିଳାଙ୍କ କହିବାନୁସାରେ ସାଧୁ ଝାଡିଦେବା ପରେ କିଛି ସମୟ ପାଇଁ ଚୁପ ହୋଇଗଲେ ସେ । ତାଙ୍କରି ଆଖି ଆଗରେ ଦୋକାନ ଘରୁ ଟଙ୍କା ଓ ଜିନିଷପତ୍ର ଲୁଟିନେଲେ ସାଧୁ ।

ଶନିବାର ଏହି ଦୁଇ ସାଧୁଙ୍କୁ ଦେଖି ଫଟୋ ଉଠାଇଥିଲେ ଶରତ । ପୁରା ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ପୋଲିସ ୨ ଅଭିଯୁକ୍ତଙ୍କୁ ପଟିଆ ଷ୍ଟେସନ ଅଂଚଳରୁ ଉଠାଇ ଆଣିଥିଲା । ପଚରା ଉଚରା ବେଳେ ସାଧୁ ୨ଜଣ ଏପରି ଚୋରି କରୁଥିବା ସ୍ୱୀକାର କରିଛନ୍ତି । ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।