କନକ ବ୍ୟୁରୋ : ହମାସ ଆତଙ୍କବାଦୀ ଉପରେ ଇସ୍ରାଏଲର ରକେଟ ମାଡ । ଇସ୍ରାଏଲ ଆକ୍ରମଣ କରିଥିବାର ଭିଡିଓ ଫୁଟେଜ ଏବେ ସାମ୍ନାକୁ ଆସିଛି । କିଭଳି ଗୋଟିଏ ପରେ ଗୋଟିଏ କୋଠା ରକେଟ ମାଡରେ ଧ୍ୱଂସ ହୋଇଯାଉଛି ଏ ହେଉଛି ତାର ଚିତ୍ର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆକ୍ରମଣର ଏହି ଫୁଟେଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯଦିଓ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନି କିନ୍ତୁ ଶେଷ କରିବ ବୋଲି ସେ କହିଛନ୍ତି ।

Advertisment

ପାଲେଷ୍ଟିନୀୟ ଆତଙ୍କୀ ସଂଗଠନ ହମାସ୍ ଉପରେ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ନିଜ ସେନାକୁ ସମଗ୍ର ଗାଜା ପଟ୍ଟି କବଜା କରିବାକୁ ନିର୍ଦ୍ଦେଶ ଦେଇଛି । ସେନାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଇସ୍ରାଏଲ ଘନଘନ ମିସାଇଲ୍, ତୋପ ଓ ରକେଟ୍ ମାଡ଼ କରୁଛି । ଗାଜାରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ମଧ୍ୟ ମିସାଇଲ୍ ମାଡ ହୋଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆଜିକୁ ୪ ଦିନରେ ପହଂଚିଛି । ଯୁଦ୍ଧରେ ୧୫ ଶହ ଉପରେ ଲୋକଙ୍କ ଜୀବନ ଗଲାଣି । ଇସ୍ରାଏଲ୍ରେ ମୃତ୍ୟୁ ସଂଖ୍ୟା ୮ ଶହରୁ ଅଧିକ ହୋଇଥିବା ବେଳେ ପାଲେଷ୍ଟାଇନ୍ରେ ପ୍ରାୟ ୬ ଶହ ଲୋକଙ୍କ ଜୀବନ ଯାଇଛି ।

ହମାସର ରକେଟ୍ ମାଡ ଯୋଗୁ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଇସ୍ରାଏଲ ଅଧିକ ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ହମାସ୍ ଧମକ ଦେଇଛି । ଇସ୍ରାଏଲ ପକ୍ଷରୁ ଗାଜା ସୀମା ନିକଟରେ ୧ ଲକ୍ଷ ସୈନିକ ମୁତୟନ କରାଯାଇଛି । ଆହୁରି ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହମାସ୍ ବିରୋଧରେ ଲଢେଇ ପାଇଁ ଆମେରିକା ଇସ୍ରାଏଲକୁ ଯୁଦ୍ଧ ପୋତ ଓ ବୋମା ବର୍ଷଣକାରୀ ବିମାନ ଯୋଗାଇ ଦେଇଛି ।