କନକ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବେତରେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଓରମାସ ପକ୍ଷରୁ ଏମାନଙ୍କୁ ସମ୍ପୂର୍ଣ୍ଣ ସହାୟତା ମିଳୁଥିବା ବେଳେ ଘରେ ବସି ରହୁଥିବା ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଏହି ବୃତ୍ତିରେ ସାମିଲ କରିବା ପାଇଁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି । ବଜାରରେ କାଠ ତିଆରି ସାମଗ୍ରୀର ଦରଦାମକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ସୁହାଇଲା ଭଳି ବେତ ତିଆରି ସାମଗ୍ରୀ ବଜାରକୁ ଛଡା ଯାଉଥିବା କହିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସେକ୍ରେଟାରୀ ।

Advertisment

ବେତରେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ବଜାରରେ ଦିନକୁ ଦିନ କାଠ ତିଆରି ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି । ଏହା ସହ ବେତ ତିଆରି ସାମଗ୍ରୀର ମଧ୍ୟ ଚାହିଦା ରହିଛି । କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗାଁରେ ଥିବା ମା ସିଦ୍ଧ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବେତର ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ପ୍ରସ୍ତୁତ କରି କିଛି ରୋଜଗାର କରିପାରୁଛନ୍ତି । ଏହି ଗ୍ରୁପରେ ଏବେ ୩୦ରୁ ଉର୍ଦ୍ଧ ମହିଳା କାର୍ଯ୍ୟ କରୁଛନ୍ତି । ମହିଳା ମାନେ ସକାଳୁ ନିଜର ଘରକାମ ସାରି ୯ଟା ଭିତରେ କେନ୍ଦ୍ରରେ ପହଁଚି ବେତର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ବେତ ତିଆରି ସାମଗ୍ରୀ ଯଥା - ଚେୟାର. ଟେବୁଲ. ଫୁଲଦାନୀ ଓ ସୋଫାସେଟ ଭଳି ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗି ପଡନ୍ତି । ଘରେ ବସି ରହିବା ଅପେକ୍ଷା ଏହି କାମ କରି ସେମାନେ ମାସକୁ ୭ ରୁ ୮ ହଜାର ଟଙ୍କା ରୋଜଗାର କରିପାରୁଥିବା କହିଛନ୍ତି ଗ୍ରୁପର ମହିଳା ।

ଏହି ଗ୍ରୁପର ମହିଳା ମାନଙ୍କୁ ପ୍ରଥମେ ଓରମାସ ପକ୍ଷରୁ ତାଲିମ ଦିଆଯାଇଥିଲା । ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରିବେ ସେନେଇ ଓରମାସ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଥିବା କହିଛନ୍ତି ଗ୍ରୁପର ମହିଳା ସଦସ୍ୟ । ବେତର ସାମଗ୍ରୀ ପ୍ରସ୍ତୁତ ହୋଇ ସାରିଲା ପରେ କିଭଳି ବଜାରରେ ଏହାର ଚାହିଦା ବଢିବ ସେନେଇ ଓରମାସ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଷ୍ଟଲ ପକାଯାଇଥାଏ । ଏହି ଷ୍ଟଲ ମାଧ୍ୟମରେ ଭଲ ବ୍ୟବସାୟ ହେଉଥିବା କହିଛନ୍ତି ଗ୍ରୁପର ମହିଳା ସେକ୍ରେଟାରୀ ।ଓଡିଶା ବଜାରରେ ବେତର କଞ୍ଚାମାଲ ଅଭାବରୁ କଲିକତାରୁ କଞ୍ଚାମାଲ ଆଣି ଏହିସବୁ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ବେତର ଏହିସବୁ ସାମଗ୍ରୀ ଗ୍ରାହକଙ୍କ ମନ ପସନ୍ଦ ହେଉଥିବାରୁ ଧିରେ ଧିରେ ଏହାର ଚାହିଦା ବଢୁଥିବା କହିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସେକ୍ରେଟାରୀ ।

ଫର୍ଣ୍ଣିଚର ତିଆରି କାମ ଯେ କେବଳ ପୁରୁଷ ମାନେ କରିପାରନ୍ତି ତା’ ନୁହେଁ । ମହିଳା ମାନେ ମଧ୍ୟ ଏହି କାମ କରି ଭଲ ରୋଜଗାର କରିପାରିବେ ତାହା ପ୍ରମାଣିତ କରିଛନ୍ତି ବାଙ୍କୀ ତାଳବସ୍ତ ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ।