ଇଂଲଣ୍ଡରେ ଟିକା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମତ, ଗର୍ଭବତୀଙ୍କ ପାଇଁ ଏହି ଦୁଇଟି ଟିକା ସୁପାରିସ କଲା ଇଂଲଣ୍ଡର ବିଶେଷଜ୍ଞ କମିଟି ।

156

କନକ ବ୍ୟୁରୋ : କରୋନା ମହାମାରୀ ଏବେ ବିଶ୍ୱରେ ଭୟାନକ ରୂପ ନେବାରେ ଲାଗିଛି । ଏହି କ୍ରମରେ ଆମଦେଶରେ ଏବେ ଅଢେଇ ଳକ୍ଷ ମୁହାଁ ଦୈନିକ ସଂକ୍ରମଣ । ଏହରି ମଧ୍ୟରେ କରୋନାରୁ ରକ୍ଷା ପାଇବାକୁ ଟିକା ଉପରେ ଭରଶା କରିଛି ବିଶ୍ୱ । ହେଲେ ଏପର୍ଯ୍ୟନ୍ତ ସବୁ ଶ୍ରେଣୀ ଓ ସବୁ ପ୍ରକାରର ପରିସ୍ଥିତି ପାଇଁ ଟିକା ପ୍ରସ୍ତୁତ ହୋଇ ନଥିବା ବେଳେ ଗର୍ଭବତୀ ମହିଳା ମାନଙ୍କ ପାଇଁ ୨ ଟି ଟିକାକୁ ସୁପାରିସ କରିଛି ଇଂଲଣ୍ଡର ଏକ ବିଶେଷଜ୍ଞ କମିଟି । କମିଟି କହିଛି ଯେ ଗର୍ଭବତୀ ମହିଳା ମାନେ ‘ଫାଇଜର୍‌’ କିଂବା ‘ମଡର୍ଣ୍ଣା’ ନିର୍ମିତ କୋଭିଡ୍‌-୧୯ ଟିକା ନେବା ଉଚିତ ବୋଲି ‘ବ୍ରିଟିସ୍‌ ପବ୍ଲିକ୍‌ ବଡି’ ଶୁକ୍ରବାର ଦିନ କହିଛି। ଉପରୋକ୍ତ ଟିକା ନିରାପଦ ବୋଲି ତତ୍ତ୍ୱାବଧାନିକ ତଥ୍ୟାବଳିରୁ ଜଣାପଡ଼ିଥିବା କଥା ସେମାନେ କହିଛନ୍ତି।

‘ଜଏଣ୍ଟ୍‌ କମିଟି ଅନ୍‌ ଭ୍ୟାକ୍ସିନେସନ୍‌ ଆଣ୍ଡ୍‌ ଇମ୍ୟୁନାଇଜେସନ୍‌’ (ଜେସିଭିଆଇ) କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୯୦,୦୦୦ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ମୁଖ୍ୟତଃ ଏହି ଦୁଇଟି ଟିକା ଦିଆଯାଇଛି। କାହାରି କ୍ଷେତ୍ରରେ ଏହି ଟିକା କୌଣସି ମନ୍ଦ ପ୍ରତିକ୍ରିୟା ଦେଖାଇଥିବା ଜଣାପଡ଼ିନାହିଁ।

ଏହି ତଥ୍ୟାବଳିକୁ ଆଧାର କରି ‘ଜେସିଭିଆଇ’ ପରାମର୍ଶ ଦେଇଛି ଯେ, ଇଂଲଣ୍ଡରେ ଯେଉଁ ସବୁ ଅଞ୍ଚଳରେ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କିଂବା ‘ମଡର୍ଣ୍ଣା’ ଟିକା ମିଳୁଛି ସେଠାକାର ନାରୀମାନଙ୍କୁ ଏହି ଟିକା ଦିଆଯିବା ଉଚିତ। ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଟିକା ସବୁ ଅନ୍ତଃସତ୍ତ୍ୱା ନାରୀଙ୍କ ନିମନ୍ତେ ନିରାପଦ ନୁହେଁ, କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଲୋଡ଼ା। ଟିକାର ପ୍ରଭାବ ସମ୍ବନ୍ଧରେ ଯଥେଷ୍ଟ ସୂଚନା ଜଣା ନ ଥିବାରୁ ପୂର୍ବରୁ ଇଂଲଣ୍ଡରେ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିଲା।

Comments are closed.