ସୁସ୍ଥ ହୃଦୟ ପାଇଁ ଆପଣାନ୍ତୁ ଏହି ଖାଦ୍ୟ, ଅଭ୍ୟାସରେ ବି ଏଭଳି କରନ୍ତୁ ପରିବର୍ତ୍ତନ

280

କନକ ବ୍ୟୁରୋ : ସବୁ ଲୋକଙ୍କୁ ଜାଣିବା ଦରକାର ଯେ ହୃଦୟ ଜନିତ କୌଣସି ରୋଗ ପାଇଁ ବିଶେଷ ଭାବେ ଆପଣଙ୍କ ଖାଦ୍ୟା ପାନୀୟ ସହ ବଦଳୁଥିବା ଜୀବନଶୈଳୀ ମୁଖ୍ୟତ ଦାୟୀ । ଏଥିପାଇଁ ଡାକ୍ତରମାନେ ଆପଣଙ୍କୁ ବାରମ୍ବାର ଶୁଦ୍ଧ ଖାଦ୍ୟ ଓ ବ୍ୟାୟମ ଉପରେ ଉପଦେଶ ଦେଇଥାନ୍ତି । ହେଲେ ବ୍ୟସ୍ଥ ବହୁଳ ଜୀବନ ଭିତରେ ଆମେ ଏସବୁ ପାଳନ କରିବାରେ ଅବହେଳା କରିଥାଉ ଓ ପରେ ହୃଦରୋଗରେ ଶିକାର ହୋଇଥାଉ । ଡାକ୍ତରମାନଙ୍କ ମତରେ ଖାଦ୍ୟର ଅନିୟମିତତା ଓ ବ୍ୟାୟାମର ଅଭାବରୁ ଲୋକମାନେ କୌଣସି ବି ବୟସରେ ହୃଦରୋଗରେ ଶିକାର ହୋଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ଘରେ ରହି ବି କିଭଳି ଆପଣ ଆପଣଙ୍କ ହୃଦୟକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବେ ।

ପ୍ରଥମେ ଆପଣ ଆପଣଙ୍କ ହୃଦୟର ସୁସ୍ଥତା ବାବଦରେ ଚିନ୍ତା କରୁଥିଲେ ସୁଖାଦ୍ୟ ଭୋଜନ କରନ୍ତୁ । ଆପଣ ଖାଦ୍ୟରେ ପନିପରିବା, ଫଳକୁ ଅଗ୍ରାଧିକାର ଦିଅନ୍ତୁ । ଏହାସହ ଜଙ୍କଫୁଡ ଓ ନାଲି ମାଂସ ଖାଇବାରୁ ଯଥାସମ୍ଭବ ବିରତ ରୁହନ୍ତୁ । କେବଳ ସେତିକି ନୁହେଁ ସୁସ୍ଥ ହୃଦୟ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ନିହାତି ଜରୁରୀ ।

ଏହାସହ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଅର୍ଥାତ ପ୍ରତିଦିନ ଆପଣ ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟାତ୍ୟାଗ କରନ୍ତୁ । ଖାଦ୍ୟ ଖାଇବାର ନିର୍ଘଣ୍ଟ ସ୍ଥିର କରନ୍ତୁ ଓ ଏହାକୁ ନିୟମିତ ପାଳନ କରନ୍ତୁ । ବାରମ୍ବାର ଜୀବନଶୈଳୀର ପରିବର୍ତ୍ତନ କରନ୍ତୁ ନାହିଁ ।

ଏହା ବ୍ୟତୀତ ହୃଦରୋଗର ଏକ ପ୍ରମୁଖ କାରଣ ହେଉଛି ନିଶାଦ୍ରବ୍ୟ ସେବନ । ଆପଣ ଯଥା ସମ୍ଭବ ତମାଖୁ, ଧୁଆଁ ଓ ଆଲକହଲ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କାରଣ ନିଶାଦ୍ରବ୍ୟ ହିଁ ହୃଦଘାତର ମୁଖ୍ୟକାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି ।

ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାୟାମ । ଆପଣ ଦୈନିକ ସକାଳ କିମ୍ବା ସନ୍ଧ୍ୟାରେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ ।