ପ୍ରତିବାଦ ମଦ ଓ ନିର୍ଯ୍ୟାତନା ବିରୋଧରେ…ଜୀବନକୁ ବାଜି ଲଗାଇ ମଦ ବିରୋଧରେ ଲଢୁଛନ୍ତି ଦୁଇ ଭଉଣୀ

42

ଏମିତି ବି ନାରୀ ଅଛନ୍ତି, ଯିଏ ନିଜ ଘରୁ ପ୍ରତିବାଦର ସ୍ୱର ଉଠାଉଛନ୍ତି । ପ୍ରତିବାଦ ମଦ ବିରୋଧରେ ଆଉ ନିର୍ଯ୍ୟାତନା ବିରୋଧରେ । ପ୍ରତିକୂଳ ପରିସ୍ଥିତିରେ ବି ସେ ନିଜକୁ ଦୁର୍ବଳ କରିନାହାନ୍ତି । ବରଂ ନିଜ ଭଉଣୀଙ୍କୁ ସାଙ୍ଗରେ ଧରି ମଦ ବିରୋଧରେ ବିଦ୍ରୋହ ପାଇଁ ସେନା ଯୋଗାଡ଼ୁଛନ୍ତି। ବାଲେଶ୍ୱରର ଜିଲ୍ଲା ରାଇବଣିଆ ଥାନା ଖୁଦିଆମାଝୀ ସାହି ପଞ୍ଚାୟତ ଚନ୍ଦନପୁର ଗାଁର ସ୍ୱର୍ଗତ ସୁକୁମାର ସିଂଙ୍କ ଝିଅ ରୁଇବାରୀଙ୍କ କାହାଣୀ ।

ସୂଚନା ଅନୁସାରେ,୨୫ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନୀପୁରର ବଳରାମ ସିଂଙ୍କୁ ବିବାହ କରିଥିଲେ ରୁଇବାରୀ। ବାହାଘରର ଦିନ କେଇଟା ମଧ୍ୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ରୁଇବାରୀ ନ ଡ଼ରି ପ୍ରତିବାଦର ସ୍ୱର ଉଠାଇଲେ। ମଦ ପାଇଁ ଜୀବନ ତାଙ୍କ ଦୁର୍ବିସହ ହେବାରୁ ସେ ସେଇ ମଦ ବିରୋଧରେ ନିଜ ଘରୁ ହିଁ ସଂଗ୍ରାମ ଘୋଷଣା କରିଥିଲେ। ହେଲେ ସ୍ୱାମୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରେ ଲାଗିଲା। ଏମିତି କି ବଳରାମ ଦ୍ୱିତୀୟ ବିବାହ କରିପକାଇଲେ। ଏପରି ସମୟରେ ନିରାଶ ରୁଇବାରୀ କିଛି ନଭାବି ସବୁଦିନ ପାଇଁ ବାପ ଘରକୁ ଚାଲିଆସିଲେ। ତେବେ ରୁଇବାରୀ ଭାବିଥିଲେ ବାପଘରେ ଯେଣତେଣ ପ୍ରକାର ଜିଇଁଯିବେ। ବାପଘର ଅଞ୍ଚଳରେ ବି ସେ ମଦ ପାଇଁ ନିୟମିତ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାଙ୍କୁ ଭେଟିଲେ। ଫଳରେ ସେ ନିଜେ ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ବଂଚିବା ଶିଖିଗଲେ। ତାଙ୍କ ମନରେ ପ୍ରଶମିତ ହୋଇଆସୁଥିବା ଆନ୍ଦୋଳନର ଶିଖା ପୁଣି ହୁତହୁତ ହୋଇ ଜଳିଉଠିଲା। ରୁଇବାରୀ ନିଜ ସାନଭଉଣୀ ଶାନ୍ତିଲତାଙ୍କୁ ସହ ମିଶି ମଦ ବିରୋଧରେ ଜୋରଦାର ସଂଗ୍ରାମ ଘୋଷଣା କରିଦେଲେ। ନିଜ ଗାଁ ସହ ଆଖପାଖ ଗାଁକୁ ସାଇକେଲରେ ଯାଇ ମହିଳାଙ୍କୁ ମଦ ବିରୋଧରେ ସଚେତନ କରିଲେ। ଏମିତି ବି ହେଲା, ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ମଦ ବେପାର କରି ମୁନାଫା ନେଉଥିବା ବ୍ୟବସାୟୀ ଓ ପ୍ରଭାବଶାଳୀଙ୍କ ଆକ୍ରୋଶର ବିକାର ହେବାକୁ ପଡ଼ିଲା। ମଦ ମାଫିଆ ଓ ସମର୍ଥକମାନେ ଘରେ ପଶି ଦୁଇଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଧାନ ଚାଉଳ, ମୋବାଇଲ୍, ସାଇକେଲ୍ ତଥା ଅନ୍ୟ ସାମଗ୍ରୀ ଲୁଟିନେଲେ। ଫଳରେ ସରକାରଙ୍କଠାରୁ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ନିଜ ଘରେ ତାଲା ପକାଇ ସେମାନେ ଏବେ ନିକଟସ୍ଥ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି।

ତଥାପି ଡରି ନାହାନ୍ତି ଏହି ଦୁଇ ଭଉଣୀ। ମଦ ଓ ମଦ ମାଫିଆଙ୍କ ବିରୋଧ ସେମାନେ ମହାମେଳି କରୁଛନ୍ତି। ବିଶ୍ୱାସ ଅଛି, ସେମାନଙ୍କ ଅଞ୍ଚଳରେ ଦିନେ ନା ଦିନେ ମଦ ବନ୍ଦ ହେବ ଆଉ ଏକ ସୁସ୍ଥ ସମାଜର ଅଭ୍ୟୁଦୟ ଘଟିବ।