ଦେଶରେ ରହିଛି ଏମିତି ଷ୍ଟେସନ: ଯାହାର ନାହିଁ କୌଣସି ନାଁ, ଜାଣନ୍ତୁ ଏହାର ପଛର କାରଣ

163

କନକ ବ୍ୟୁରୋ: ପ୍ରତିଦିନ ଅନେକ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ସେଥିପାଇଁ ଟ୍ରେନକୁ ଭାରତର ଜୀବନ ରେଖା ବୋଲି କୁହାଯାଏ । ଆଉ ଟ୍ରେନରେ ଯିବା ପାଇଁ ଆମେ ଟିକେଟ କରିଥାଉ । ଯେଉଁଥିରେ ଆମ ଯାତ୍ରା ଆରମ୍ଭ ଆଉ ଗନ୍ତବ୍ୟ ସ୍ଥଳର ଠିକଣା ଲେଖାଥାଏ । ଯାହାକୁ ଆମେ ଷ୍ଟେସନ କହିଥାଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶରେ ଏମିତି କିଛି ଷ୍ଟେସନ ରହିଛି ଯାହାର କୌଣସି ନାଁ ନାହିଁ ।

ଏହା ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ କେମିତି ବିନା ନାଁରେ ଗୋଟିଏ ଷ୍ଟେସନରେ ଲୋକମାନେ ପହଞ୍ଚି ପାରୁଛନ୍ତି । ହଁ ଆଜ୍ଞା ଆମ ଦେଶରେ ଏମିତି ଦୁଇଟି ଷ୍ଟେସନ ରହିଛି । ଯାହାକି ଆମ ରାଜ୍ୟ ଓଡିଶାର ପଡୋଶୀ ରାଜ୍ୟରେ ରହିଛି । ଗୋଟିଏ ଷ୍ଟେସନ ପଶ୍ଚିମବଙ୍ଗର ବର୍ଦ୍ଦମାନ ଜିଲ୍ଲା ବାଙ୍କୁରା-ମେସଗ୍ରାମ ରେଳଖଣ୍ଡରେ ଅବସ୍ଥିତ । ସେହିପରି ଅନ୍ୟଟି ଝାଡଖଣ୍ଡ ରାଞ୍ଚି ଟୋଲି ରେଳଖଣ୍ଡରେ ରହିଛି । ଏହି ଦୁଇ ଷ୍ଟେସନକୁ କାହିଁକି ଏଯାଏଁ କୌଣସି ନାଁ ଦିଆଯାଇନାହିଁ । ତେବେ ଆସନ୍ତୁ ଜାଣିବା ଏହା ପଛର ରୋଚକ କାହାଣୀ ।

ପଶ୍ଚିମବଙ୍ଗ ବାଙ୍କୁରା-ମେସଗ୍ରାମରେ ଥିବା ଏହି ବିନା ନାଁର ଷ୍ଟେସନ ୨୦୦୮ରେ ତିଆରି ହୋଇଥିଲା । ଷ୍ଟେସନ ତିଆରି ହେବା ପରେ ଏହାର ନାଁ ରେନାଗଡ ଷ୍ଟେସନ ରଖାଯାଇଥିଲା । ତେବେ ଏହି ନାଁକୁ ନେଇ ଗାଁର ଲୋକମାନେ ବିରୋଧ କରିବା ସହ ଅଭିଯୋଗ କରିଥିଲେ । ସେବେଠୁ ଏହି ଷ୍ଟେସନର ନାଁକୁ ନେଇ ବିବାଦ ଲାଗି ରହିଛି । ଏଥିପାଇଁ ଏଯାଏଁ ଏହି ଷ୍ଟେସନର କୌଣସି ନାଁ ରଖାଯାଇ ନାହିଁ ।

ସେହିପରି ଝାଡଖଣ୍ଡର ରାଞ୍ଚିରୁ ଟୋରିବଲି ମଧ୍ୟରେ ଆସୁଥିବା ଷ୍ଟେସନର କୌଣସି ନାଁ ନାହିଁ । ଏହି ଷ୍ଟେସନର ନାଁ ନଥିବା ପଛରେ ଏକ ରୋଚକ କାହାଣୀ ରହିଛି । ୨୦୧୧ରେ ଯେତେବେଳେ ଏହି ଷ୍ଟେସନରେ ଟ୍ରେନ ଚାଲିଥିଲା, ସେତେବେଳେ ଏହି ଷ୍ଟେସନର ନାଁ ବଡକି ଚାମ୍ପି ରଖାଯାଇଥଲା । ହେଲେ ଏହି ନାଁକୁ ନେଇ ସେଠାକାର ଲୋକ ବିରୋଧ କରିଥିଲେ । ସେମାନଙ୍କ ଅନୁସାରେ ଷ୍ଟେସନ ତିଆରି ପାଇଁ ତାଙ୍କୁ ଅନେକ ଭୂମିକା ରହିଛି ତେଣୁ ଷ୍ଟେସନର ନାଁ କମଲେ ରଖାଯାଉ । ସେବେଠୁ ଏହି ବିବାଦ ଯୋଗୁଁ ଏଠାରେ ଷ୍ଟେସନ କୌଣସି ନାଁ ରଖାଯାଇ ନାହିଁ ।

ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପାଇଁ ଏହି ଷ୍ଟେସନରେ କୌଣସି ସାଇନବୋର୍ଡ ମଧ୍ୟ ଲଗାଯାଇନାହିଁ । ଏଠାରୁ ଅନେକ ଯାତ୍ରୀ ପ୍ରତିଦିନ ଯିବାଆସିବା ମଧ୍ୟ କରିଥାନ୍ତି ।