ଆମ ପିଲାଦିନର ଫିଲ୍ମ… ରଙ୍ଗୀନ ଦୁନିଆରେ ଭାରି ମନେପଡୁଛି କଳାଧଳା ଟିଭିର ମନଛୁଆଁ ସିନେମା । ଏବେବି ହୃଦୟର ହଲରେ ମୁକ୍ତିଲାଭ କରୁଛି ସେଦିନର ଡୋରା, ନାଗଫାଶ, ଜଗା ହାତରେ ପଘା…

380

କନକ ବ୍ୟୁରୋ: ଡୋରା, ନାଗଫାଶ, ଜଗା ହାତରେ ପଘା, ଗପ ହେଲେ ବି ସତ, ଶେଷ ଶ୍ରାବଣ ଓ ମମତା ମାଗେ ମୂଲ… ଏ ସବୁ ସିନେମା ନୁହେଁ ଗୋଟେ ଗୋଟେ ଅଭୁଲା ସ୍ମୃତି । ୯୦ ଦଶକର କଳାଧଳା କଥାଚିତ୍ର କଥା କୁହନ୍ତୁ କିମ୍ବା ୩୦-୪୦ ବର୍ଷ ତଳର ରଙ୍ଗୀନ ସିନେମା । ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଗଢା ହେଉଥିବା ଫିଲ୍ମ ଏବେବି ମନରେ ଘର କରି ରହିଛି । ଆଉ ଅତୀତରେ ଦେଖିଥିବା ସେ ସିନେମାଗୁଡିକର ନାଁ ଯଦି କେବେ ମନେପଡିଯାଏ କିମ୍ବା ଆଖିରେ ସେ ପୋଷ୍ଟର ପଡିଯାଏ ତେବେ ଆଖି ଅନ୍ୟମନସ୍କ ହୋଇଯାଏ, ମନ ପିଲାଦିନକୁ ଫେରିଯାଏ । ଆଉ ଆମେ ବୟସ୍କରୁ ପୁଣି ଥରେ ବାହୁଡିଯାଉ ସ୍କୁଲ ସମୟକୁ…

ସ୍କୁଲ ବେଳେ ସିନେମା ଦେଖିବାର ମଜାଟିକେ ନିଆରା । ପାଠ ପାଇଁ ଆକଟ ହେଉଥିବ, ପରିବାର ଲୋକଙ୍କ ସେହି ଆକଟଭରା ଆଖି ଭିତରେ ଲୁଚିଲୁଚି ସିନେମା ଦେଖା ହେଉଥିବ । ବାପା ପାଠ ପଢିବାକୁ କହିଲେ, ମାଆକୁ କହି ଟିଭିରେ ସିନେମା ଦେଖା ହେବ ଆଉ ମାଆ ରାଗିଲେ ଜେଜେମା ପଛରେ ଲୁଚି ଉତ୍ତମ ମହାନ୍ତି, ଅପରାଜିତା, ବିଜୟ ମହାନ୍ତିଙ୍କ ସିନେମା ଦେଖାହେବ… ଯଦିଓ ଆମ ପିଲାଦିନେ ଟିଭି ଦେଖିବାକୁ ଘରେ ଟିକେ ବାରଣ ଥାଏ କିନ୍ତୁ ଶନିବାର, ରବିବାର ମାନେ ଟିଭି ଦେଖିବା ଥୟ । ଦିନଟା ଖେଳ କୁଦରେ କଟେ ଆଉ ଠିକ୍ ଅପରାହ୍ନ ହେଲେ ଘଣ୍ଟାରେ ୪ଟା ବାଜିଲେ ଟିଭି ଆଗରେ ଧାଡି କରି ବସିପଡନ୍ତି ସମସ୍ତେ । ସେତେବେଳେ ଗାଁରେ କାଁ ଭାଁ ଟିଭି ଥିଲା । ଯାହାର ବି ଥିଲା ସେ ପୁଣି ରଙ୍ଗୀନ ନୁହେଁ କଳାଧଳା । ସେଇଥିରେ ସାଙ୍ଗହୋଇ ପରିବାର ସହ ବସି ସିନେମା ଦେଖିବାର ମଜା ଥିଲା ଅଲଗା । ବାପା ବିଲରୁ ସଅଳ ଫେରି ଆସିଥିବେ, କାହା ବାପା ସ୍କୁଲ କିମ୍ବା ଅଫିସରୁ ଫେରିଥିବେ । ମାଆ ଫିଲ୍ମ ଦେଖିବ ବୋଲି ଘରର ସବୁ କାମ ଜଲଦି ଜଲଦି ସାରିଦେଇଥିବ । ଆଉ ସଞ୍ଜ ନବାଜୁଣୁ ସମସ୍ତେ ଟିଭି ସାମ୍ନାରେ ହାଜର ହୋଇଯାଆନ୍ତି । ସତରେ ଗାଁରେ ହେଉ କି ସହରର ସେତେବେଳେ ଦୂରଦର୍ଶନରେ ଏସବୁ ସିନେମା ଦେଖିବାର ମଜା ଥିଲା ଅଲଗା ।

ସିନେମା ଦେଖିଲା ବେଳେ ସବୁଠାରୁ ବିରକ୍ତିକର କଥା କଣ ଜାଣନ୍ତି । ଗୋଟିଏ ଫିଲ୍ମରେ ମନ ମଜି ଯାଇଥି, ଫାଇଟିଂ ସିନ୍ ଚାଲୁଥିବ କି ସାପ-ନେଉଳ ଲାଗୁଥିବେ… ଆଉ ଠିକ ସମୟରେ ସିଗନାଲ କଟିଯିବ । ଧେତ୍ ସମସ୍ତେ ବିରକ୍ତି ହୋଇ କାଠିବାଲା ବାଉଁଶ ଲଗା ଆଣ୍ଟିନା ବୁଲେଇବାକୁ ଛୋଟ ଛୋଟ ପିଲାଙ୍କୁ କହିବେ । ସେତେବେଳେ ସିନା ଏ କାମ ବିରକ୍ତି ଲାଗୁଥିଲା ଏବେ କିନ୍ତୁ ଭାରି ମନେ ପଡୁଛି ସେ ମିଠା ମୁହୂର୍ତ୍ତ ତାହା ପୁଣି ଏ ସବୁ ପୁରୁଣା ସିନେମାର ପୋଷ୍ଟର ଦେଖିଲା ପରେ ।

ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦ, ବିଜୟ ମହାନ୍ତି ଆଦି ସେତେବେଳର ଚର୍ଚ୍ଚିତ ହିରୋ ଲୋକଙ୍କ ମନରେ ଘର କରିଥିଲେ । ତେବେ ଦେବବ୍ରତ ମହାନ୍ତି ନିଜ ଟୁଇଟରରେ ଏ ସବୁ ଫଟୋ ପୋଷ୍ଟ କରି ସିନେମାକୁ ନେଇ ପୁରୁଣା ଦିନର ସ୍ମୃତିକୁ ପୁଣି ତାଜା କରିଛନ୍ତି । ସତରେ ଏ ପୋଷ୍ଟର ଦେଖିଲା ପରେ ଆପଣଙ୍କର ବି ଆଖି ଚହଲି ଯାଇଥିବ ଅତୀତର ଇଲାକାକୁ । ମନ ଫେରିଯାଇଥିବ ଜୀବନରୁ ଫେଡି ହୋଇ ଯାଇଥିବା ବୟସମାନ ପାଖକୁ… କାରଣ ସ୍ମୃତି ଗୋଟେ ଶୀତଳ ଶିହରଣର ନାଁ… ସମୟର ସାଇତା ଡାଏରୀର ଠିକଣା… ଠିକ୍ ଏ ସବୁ ସିନେମା ପରି…