ସପ୍ତାହେ ଯାଏଁ ବର୍ଷାରୁ ନାହିଁ ନିସ୍ତାର: ପାଣିପାଗ ବିଭାଗର ସୂଚନା, ଆଜିଠୁ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

363

କନକ ବ୍ୟୁରୋ: ସପ୍ତାହେ ଯାଏଁ ଲଗାଣ ବର୍ଷାରୁ ଓଡିଶାବାସୀ ନିସ୍ତାର ପାଇବାର ସମ୍ଭାବନା କମ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି । ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତା ସହିତ ରାଜସ୍ଥାନରୁ କୋଲକାତା ଯାଏଁ ଏକ ଟ୍ରଫ ଲାଇନ ଲମ୍ବିଛି । ଏଥିଯୋଗୁଁ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସୋନପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରୁଝର, କୋରାପୁଟ ଓ ବୌଦ୍ଧରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଆଜିଠୁ କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ଝାରସୁଗୁଡା,ବରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ ଓ ସୋନପୁରରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଜୁଲାଇ ୨୯ରୁ ବର୍ଷାର ପରିମାଣ କମିପାରେ । ତଥାପି ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ୩୦ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, କୋରାପୁଟ, ନବରଙ୍ଗପୁରରେ ବର୍ଷା ହେବ ।

ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେହିପରି ଜୁଲାଇ ୩୧ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।