ଏଠି ମାସ୍କରୁ ମିଳିଛି ମୁକ୍ତି…ଲମ୍ବା ଲଢେଇ ପରେ ଉଠିଛି କଟକଣା । ଏହି ସବୁ ଦେଶରେ ହାରିଛି କରୋନା ।

326

କନକ ବ୍ୟୁରୋ : ମାସ୍କରୁ ମିଳିବ ମୁକ୍ତି ! ଲମ୍ବା ଲଢେଇ ପରେ ଉଠିଲା କଟକଣା ! ମହାମାରୀ କରୋନା ସହ ସାରା ବିଶ୍ୱ ଲଢୁଥିବା ବେଳେ, କେତେକ ଦେଶରୁ କରୋନାକୁ ନେଇ ଆସିଛି ଭଲ ଖବର । ଭାରତରେ ମଧ୍ୟ ଉଭୟ ସଂକ୍ରମଣ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ହୋଇଛି । କିନ୍ତୁ ଏବେବି କରୋନା ସହ ଲଢୁଛନ୍ତି ବିଶ୍ୱର ଅନେକ ଦେଶ । ଆଉ ଏହାରି ଭିତରେ ବିଶ୍ୱର ଅନେକ ଦେଶରୁ ଆସିଛି ଆଶ୍ୱସ୍ତିକର ଖବର ।

କରୋନା ବିରୋଧୀ ଯୁଦ୍ଧରେ ସବୁଠାରୁ ବଡ ଅସ୍ତ୍ର ସାଜିଛି ମାସ୍କ । ମାସ୍କ ପିନ୍ଧିବାକୁ ସବୁ ଦେଶ ବାଧ୍ୟତାମୂଳକ କରିଥିବା ବେଳେ, କିଛି ଦେଶରୁ ଏହି କଟକଣାକୁ କୋହଳ କରାଯାଇଛି । ଆସନ୍ତୁ ଜାଣିବା କେଉଁ କେଉଁ ଦେଶରେ ଏଣିକି ମାସ୍କ ପିନ୍ଧିବା ଜରୁରୀ ନୁହେଁ ।

ଆମେରିକା : ଆମେରିକାରେ ମାସ୍କ ପିନ୍ଧିବା କଟକଣାକୁ ହଟାଇ ଦିଆଯାଇଛି । ମାସ୍କ ପିନ୍ଧିବା ଆଉ ଜରୁରୀ ନୁହେଁ ବୋଲି ଗତ ମେ ମାସରେ ଘୋଷଣା କରିଥିଲା ଆମେରିକା । ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନସନ୍ ପକ୍ଷରୁ କୁହାଯାଇଥିଲା ଯେ, ଯେଉଁ ଲୋକମାନେ ଭ୍ୟାକସିନର ଦୁଇଟି ଡୋଜ୍ ନେଇସାରିଛନ୍ତି, ସେମାନେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ପବ୍ଲିକ ଟ୍ରାନ୍ସପୋର୍ଟ ଯେପରିକି, ବସ, ଟ୍ରେନ ଏବଂ ବିମାନରେ ଯାତାୟତ କରୁଥିଲେ, ମାସ୍କ ପିନ୍ଧିବା ଜରୁରୀ ।

ଚୀନ୍ : କରୋନାର ଜନ୍ମସ୍ଥାନ ଅର୍ଥାତ ଚୀନରେ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚୀନ୍ ଏବେ କରୋନାକୁ ପରାସ୍ତ କରି ଲୋକଙ୍କୁ ମାସ୍କ ପିନ୍ଧିବା କଟକଣାରୁ ମୁକ୍ତ କରିଛି । ଚୀନ୍ ସଂକ୍ରମଣ ଅତ୍ୟନ୍ତ ତଳକୁ ଖସିଆସିଥିବା ବେଳେ କେବଳ ହସ୍ପିଟାଲ ଏବଂ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତାୟତ କରୁଥିଲେ, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ନ୍ୟୁଜିଲାଣ୍ଡ : ଗତ ୧ ବର୍ଷ ଧରି ମହାମାରୀ ବିରୋଧରେ ପ୍ରଂଶସନୀୟ ପଦକ୍ଷେପ ନେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ସାରା ବିଶ୍ୱରେ ଏବଂ ନ୍ୟୁଜିଲାଣ୍ଡର ପ୍ରଂଶସା କରାଯାଉଛି । ଏପରିକି ଏଠାରେ ଲୋକମାନଙ୍କୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଭଳି କଟକଣାରୁ ମୁକ୍ତ କରାଯାଇଛି । ଅର୍ଥାତ ନ୍ୟୁଜିଲାଣ୍ଡରେ ସଂକ୍ରମଣ ସଂଖ୍ୟା ବହୁତ ତଳକୁ ଖସିଆସିଛି ।

ଇସ୍ରାଇଲ୍ : ଚଳିତବର୍ଷ ଏପ୍ରିଲ ମାସରୁ ହିଁ ଏହି ଦେଶକୁ କରୋନା ଫ୍ରି ଘୋଷିତ କରାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ଏଠାରେ ଟୀକାକରଣ କରାଯାଇସାରିଲାଣି । ଏଠାରେ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନଥିବା ବେଳେ ଏପ୍ରିଲ ୨୪ ତାରିଖ ପରଠାରୁ ଏଠାରେ ଜଣେ ହେଲେ ବି କରୋନାରେ ସଂକ୍ରମିତ ହୋଇନାହାନ୍ତି ।

ଭୂଟାନ : ଭୂଟାନର ସୀମା ଭାରତ ଏବଂ ଚୀନ୍ ସହ ସଂଯୁକ୍ତ ଅଛି । କିନ୍ତୁ ଏଠାରେ ଲକଡାଉନ୍ ଭଳି କୌଣସି କଟକଣା ନାହିଁ । ଏଠାରେ କରୋନାରେ ମାତ୍ର ୧୩୦୯ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ମାତ୍ର ଜଣଙ୍କର ମୃତ୍ୟୁ ହୋଇଛି । ଭୂଟାନରେ ପାଖାପାଖି ୯୦ ପ୍ରତିଶତ ଲୋକଙ୍କର ଟୀକାକରଣ କରାଯାଇସାରିଲାଣି ।

ହୋଆଇ : ଏଠାରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏଠାରେ ସର୍ବସାଧାରଣଙ୍କ ପାଇଁ ଖେଳ ପଡିଆ ମଧ୍ୟ ଖୋଲିଦିଆଯାଇଥିବା ବେଳେ ସମସ୍ତ କଟକଣାକୁ ମଧ୍ୟ କୋହଳ କରିଦିଆଯାଇଛି ।

କିନ୍ତୁ ଭାରତକୁ କରୋନା ସହ ଆହୁରି ଲମ୍ବା ଲଢେଇ ଲଢିବାର ଅଛି । ଦୂର ଦୂର ସମୟ ପର୍ଯ୍ୟନ୍ତ ଭାଇରସରୁ ମୁକ୍ତି ମିଳିବା ନେଇ କୌଣସି ସଙ୍କେତ ମିଳିନାହିଁ । ଏବେବି ଅନେକ ଲୋକ ଟୀକା ନେଇନଥିବା ବେଳେ କରୋନାର ତୃତୀୟ ଲହରକୁ ନେଇ ବଢିଲାଣି ଚିନ୍ତା । ଏପରିସ୍ଥଳେ ସମସ୍ତଙ୍କୁ ଆହୁରି ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି  ।