ଏ ହେଉଛି ଦେଶର ସବୁଠାରୁ ଅଧିକ ମାଇଲେଜ ଦେଉଥିବା ୫ ଟି ଇଲେକ୍ଟ୍ରିକ୍ ସ୍କୁଟର, ଥରେ ଚାର୍ଜ କଲେ ଚାଲିବ ୧୨୧ କିଲୋମିଟର

308

କନକ ବ୍ୟୁରୋ : ଏବେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆକାଶଛୁଆଁ ହୋଇଥିବାରୁ  ବିଦ୍ୟୁତ୍ ଚାଳିତ ଯାନର ଚାହିଦା ବଢିବାରେ ଲାଗିଛି । ସେପଟେ ପ୍ରର୍ଦୁଷଣ ଓ ତୈଳ ସଂପଦକୁ ସୁରକ୍ଷିତ ରଖିବାକୁ ସରକାର ବି ବିଦ୍ୟୁତ୍ ଚାଳିତ ଯାନ ଉପରେ ପ୍ରୋତ୍ସାହନ ଦେଉଛନ୍ତି । ଏହି କ୍ରମରେ ଯଦି ଆପଣ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ୫ ଟି ଇଲେକ୍ଟ୍ରିକ୍ ସ୍କୁଟର ବାବଦରେ କହିବାକୁ ଯାଉଛୁ । ଏହି ଟପ୍ ୫ ଟି ସ୍କୁଟର ସିଙ୍ଗିଲ ଚାର୍ଜରେ ୧୦୦ କିଲୋମିଟରରୁ ଅଧିକ ଚାଲୁଥିବା ବେଳେ ଜାଣନ୍ତୁ ଏହାର ଦାମ ଓ ଫିଚର ।

ଓଲା ଏସ-୧ –  ଯଦି ଆମେ ଭାରତରେ ଇଲେକ୍ଟ୍ରିକ୍ ସ୍କୁଟର କଥା କହିବା ତେବେ ଏବେ ଓଲା କମ୍ପାନୀର ସ୍କୁଟର ଭାରତୀୟମାନଙ୍କ ପାଖରେ ବେସ୍ ଆଦୃତ ହେବାରେ ଲାଗିଛି । ଓଲାର ଏସ-୧ ସ୍କୁଟରର ଦାମ ୯୯,୯୯୯ ଟଙ୍କା ରହିଛି । ଏହି ସ୍କୁଟର ଥରେ ଚାର୍ଜ ହେଲେ ପୁରା ୧୨୧ କିଲୋମିଟର ଚାଲୁଥିବା କଥ କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ସ୍କୁଟର ଘଂଟା ପ୍ରତି ୯୦ କିଲୋମିଟର ବେଗରେ ଚାଲିପାରିବ । ଏହି ସ୍କୁଟର ଗୋଟିଏ ଥର ଚାର୍ଜ ହେବାକୁ ୫ ଘଂଟାରୁ କମ୍ ସମୟ ଲାଗିଥାଏ । ଏହାସହ ମାର୍କେଟରେ ବି ଓଲାର ଏସ-୧ ପ୍ରୋ ସ୍କୁଟର ରହିଛି । ଯାହାର ଦାମ ୧ ଲକ୍ଷ ୩୦ ହଜାର ଟଙ୍କା ରହିଛି ।

ମାଗନସ୍ ଏକ୍ସ- ଏବେ ଏବେ ଭାରତୀୟ ବଜାରରେ ପ୍ରବେଶ କରିଛି ଅମ୍ପେରାର ଇଲେକ୍ଟ୍ରିକ୍ ସ୍କୁଟର । ଅମ୍ପେରା ତାର ପ୍ରଥମ ପ୍ରଡକ୍ଟ ଭାବେ ମାଗନସ୍ ଏକ୍ସ ଲଂଚ କରିଛି । ଏହା ଓଲା ସ୍କୁଟର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଦାମ ବି କମ୍ ରହିଛି । ଏହାର ସୋରୁମ ମୂଲ୍ୟ ୬୮,୯୯୯ ଟଙ୍କା ରହିଛି । ଏହି ସ୍କୁଟର ଥରେ ଚାର୍ଜ ହେଲେ ୧୨୧ କିଲୋମିଟର ପର୍ଯ୍ୟନ୍ତ ଚାଲିପାରୁଥିବା କଥା କମ୍ପାନୀ ଦାବି କରିଛି ।

ଏଥର ୪୫୦ ଏକ୍ସ – ଏବେ ଏବେ ଭାରତୀୟ ବଜାରରେ ଏଥର କମ୍ପାନୀରଇ- ସ୍କୁଟର ବି ଲୋକମାନଙ୍କର ବେସ୍ ପଶନ୍ଦ ରହିଛି । ଏହି ସ୍କୁଟର ଦକ୍ଷିଣ ଭାରତୀୟ ସହର ବେଙ୍ଗାଲୋର ଓ ଚେନ୍ନାଇରେ ଲଂଚ ହୋଇଛି । ଏହା ଖୁବଶୀଘ୍ର ଦେଶର ଅନ୍ୟ ସହର ମାନଙ୍କରେ ଲଂଚ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ସ୍କୁଟରର ଦାମ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହା ସିଙ୍ଗିଲ ଚାର୍ଜରେ ୧୦୭ କିଲୋମିଟର ପର୍ଯ୍ୟନ୍ତ ଚାଲୁଛି ।

ବଜାଜ୍ ଚେତକ- ଦେଶର ସବୁଠାରୁ ପୁରୁଣା ବାଇକ୍ ନିର୍ମାତ ବଜାଜ୍ କମ୍ପାନୀ ବି ମାର୍କେଟର ଆବଶ୍ୟକତାକୁ ନଜରରେ ରଖି ଇ-ସ୍କୁଟର ନିର୍ମାଣ କରିଛି । ବଜାଜର ସବୁଠାରୁ ପଶନ୍ଦର ସ୍କୁଟର ଚେତକର ଇ- ସ୍କୁଟର ମାର୍କେଟରେ ଲଂଚ କରିଛି କମ୍ପାନୀ । ଏହି ସ୍କୁଟର ୨ ଟି ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହେଉଛି । ଏଣ୍ଟ୍ରି ଲେବଲ ଅରବାନ ଭାରିଆଣ୍ଟ ଓ ଟପ୍ ଆଣ୍ଡ ପ୍ରିମିୟମ ଭାରିଆଣ୍ଟ । ଏହି ଇ-ସ୍କୁଟରରେ ଗୋଟିଏ ୩.୮ କିଲୋୱାଟ୍ ପାୱାର ଓ ଅନ୍ୟଟି ୪.୧ କିଲୋୱାଟ୍ ପାୱାର । ଏହି ସ୍କୁଟର ଗୋଟିଏଥର ଚାର୍ଜ କଲେ ୯୫ କିଲୋମିଟର ଓ ସ୍ପୋର୍ଟସ୍ ମୋଡରେ ୮୫ କିଲୋମିଟର ପର୍ଯ୍ୟନ୍ତ ଗତି କରୁଛି ।

 ଟିଭିଏସ ଆଇ କ୍ୟୁବ୍- ୨୦୨୦ ରେ ଟିଭିଏସ ପକ୍ଷରୁ ଏହି ସ୍କୁଟର ଲଂଚ କରାଯାଇଥିଲା । ଟିଭିଏସର ଏହି ଇଲେକ୍ଟ୍ରିକ୍ ସ୍କୁଟର ଲୋକମାନଙ୍କର ବେସ୍ ପଶନ୍ଦ ରହିଛି । ଏହି ସ୍କୁଟରରେ ୪.୪ କିଲୋୱାଟ କ୍ଷମତାର ଇଲେକ୍ଟ୍ରିକ ମୋଟର ରହିଛି । ଏହି ସ୍କୁଟର ଗୋଟିଏଥର ଚାର୍ଜ କଲେ ୭୫ କିଲୋମିଟର ଚାଲିଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ୧.୧୫ ଲକ୍ଷ ଟଙ୍କା ରହିଛି ।