ଆଉ ୩ଜଣଙ୍କୁ ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଚୌଧୁରୀ ଚରଣ ସିଂଙ୍କ ସହ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନଙ୍କୁ ମରଣୋତର ସମ୍ମାନ

116

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ରରଣ ସିଂହ ଓ ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ଦିଆଯିବ – ଭାରତ ରତ୍ନ । ଦେଶ ବିକାଶ ପାଇଁ ଅନନ୍ୟ ଯୋଗଦାନ ଯୋଗୁଁ ମରଣୋତ୍ତର ଭାବେ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ । ନରସିଂହ ରାଓ ଦେଶରେ ଆର୍ଥିକ ସଂସ୍କାର ଆଣିଥିବା ବେଳେ କୃଷକଙ୍କ ଅଧିକାର ପାଇଁ ବଡ଼ ଭୂମିକା ତୁଲାଇଥିଲେ ଚରଣ ସିଂହ । ସେହିପରି ଦେଶରେ ସବୁଜ ବିପ୍ଳବ ଆଣିବା ପାଇଁ ରହିଛି ଡକ୍ଟର ସ୍ୱାମୀନାଥନଙ୍କ ଅତୁଳନୀୟ ଅବଦାନ । ସୋସିଆଲ ମିଡିଆ ଏକ୍ସରେ ଅଲଗା ଅଲଗା ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶ ଗଠନରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପିଭି ନରସିଂହ ରାଓ
୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି
ତାଙ୍କର ଅବଦାନ ଯୋଗୁଁ ସେ ସ୍ମରଣୀୟ ହୋଇ ରହିବେ
ଜନନେତା ହେବା ସହ ବିଭିନ୍ନ ବିଷୟରେ ତାଙ୍କର ଆଗାଧ ପାଣ୍ଡିତ୍ୟ ରହିଥିଲା
ତାଙ୍କର ଦୂରଦୃଷ୍ଟି ଯୋଗୁଁ ଦେଶର ଅର୍ଥନୀତି ଆଗକୁ ବଢ଼ିଥିଲା
ଦେଶକୁ ସମୃଦ୍ଧ କରିବା ପାଇଁ ମୂଳଦୁଆ ପକାଇଥିଲେ ପିଭି ନରସିଂହ ରାଓ

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଅବଦାନକୁ ମନେପକାଇବା ସହ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,

ଦେଶ ପାଇଁ ଚୌଧୁରୀ ଚରଣ ସିଂହଙ୍କ ତ୍ୟାଗ ଅତୁଳନୀୟ
କୃଷକଙ୍କ କଲ୍ୟାଣ ଓ ଅଧିକାର ପାଇଁ ସେ ସାରା ଜୀବନ ଉଦ୍ୟମ କରିଥିଲେ
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଦେଶର ଗୃହମନ୍ତ୍ରୀ ସବୁବେଳେ ଦେଶ ଗଠନ ପାଇଁ କାର୍ଯ୍ୟ କରିଥାନ୍ତି
ଜରୁରୀ ପରିସ୍ଥିତି ବିରୋଧରେ ଦୃଢ଼ ସ୍ୱର ଉଠାଇଥିଲେ
ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ହୋଇଥିଲେ ଚୌଧୁରୀ ଚରଣ ସିଂହ
ଖ୍ୟାତନାମା କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ । ତାଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ।

କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ତାଙ୍କ ଅବଦାନ ସ୍ମରଣୀୟ
କୃଷି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି
କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବାରେ ତାଙ୍କର ରହିଛି ଅନନ୍ୟ ଯୋଗଦାନ
ଦେଶର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପଛରେ ରହିଛି ତାଙ୍କର ଦୂରଦୃଷ୍ଟି

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ କିଛି ଦିନ ତଳେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ମାସକ ମଧ୍ୟରେ ୫ ଜଣ ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯିବା ପାଇଁ ଘୋଷଣା କରାଯାଇଛି ।