ବିପୁଳ ଭୋଟରେ ଜିତିଲେ, ହେଲେ ମିଳିଲାନି ମନ୍ତ୍ରିପଦ ! ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେନି ଏହି ସବୁ ସେଲିବ୍ରିଟି ।

357

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ବିଜୟୀ ହେଲା ବିଜେପି । କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏହି ସମାରୋହରେ ପ୍ରାୟ ୬,୦୦୦ରୁ ଅଧିକ ଲୋକେ ସାମିଲ ହୋଇଥିଲେ । ଏହି ସମାରୋହରେ ମୋଦିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଥିଲେ । ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ନିର୍ବାଚନରେ ଭଲ ପ୍ରଦର୍ଶନ କରି ମଧ୍ୟ କିଛି କଳାକାରମାନଙ୍କୁ ସ୍ଥାନ ମିଳି ନଥିବା ଜଣାପଡ଼ିଛି । ଆସନ୍ତୁ ନଜର ପକାଇବା ସେମିତି କିଛି ସାଂସଦଙ୍କ ଉପରେ ।

୧. ୨୦୦୪ରେ ବିଜେପିରେ ସାମିଲ ହୋଇଥିଲେ ହେମା ମାଳିନୀ । ତେବେ ମଥୁରାରୁ ଦ୍ୱିତୀୟ ଥର ପାଇଁ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ ମଧ୍ୟ ଅଭିନେତ୍ରୀ ହେମା ମାଳିନୀଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ପାରି ନାହିଁ ।

୨. ଅଭିନେତା ସନ୍ନି ଦେଓଲ ମତଦାନର କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଯାହା ପରେ ତାଙ୍କୁ ଗୁରୁଦାସପୁରରୁ  ଟିକେଟ ମିଳିଥିଲା ଏବଂ ପ୍ରଥମ ପାଳିରେ ହିଁ ସେ ବାଜି ମାରି ନେଇଥିଲେ । ସୁନୀଲ ଝାକଡ଼ଙ୍କୁ ହରାଇ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ପାରି ନାହିଁ ।

୩. ଗୋରଖପୁରରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିଲେ ଭୋଜପୁରୀ ଅଭିନେତା ରବି କିସନ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ସପାର ରାମଭୁଆଲ ନିଷାଦ । ତେବେ ୨୦୧୯ ଲୋକସଭା ନିର୍ବାଚନ ଜିତି ପ୍ରଥମ ଥର ପାଇଁ ସାଂସଦ ବନିଥିଲେ ମଧ୍ୟ ରବି ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ବନାଇ ପାରି ନାହାନ୍ତି ।

୪. ଭୋଜପୁରୀ ଅଭିନେତା ମନୋଜ ତିଓ୍ଵାରୀ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଦିଲ୍ଲୀର ଉତ୍ତର-ପୂର୍ବ ଆସନରୁ ସେ କଂଗ୍ରେସର ଦିଗ୍ଗଜ ନେତା ଶୀଲା ଦୀକ୍ଷିତ୍‌ଙ୍କୁ ଟକ୍କର ଦେଇଥିଲେ । ତେବେ ସେ ବିଜୟୀ ହୋଇଥିଲେ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରିବାରେ ଅସଫଳ ହୋଇଛନ୍ତି ।

୫. ପୂର୍ବ ଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଜିତିଥିବା କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମୋଟ ୬୯୬୧୫୬ ଭୋଟ ମିଳିଥିଲା । ସେ ଆମ୍‌ ଆଦମୀ ପାର୍ଟିର ଆତିଶୀ ଏବଂ କଂଗ୍ରେସର ଅରବିନ୍ଦର ସିଂହ ଲବଲୀଙ୍କୁ ଟକ୍କର ଦେଇଥିଲେ । ତେବେ ନିର୍ବାଚନରେ ପ୍ରଚଣ୍ଡ ସଫଳତା ସତ୍ତ୍ୱେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରି ପାରିଲେ ନାହିଁ ଗୌତମ ।