ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ନ୍ୟୁଜିଲାଣ୍ଡ ଦଳର ଏହି ୩ ଖେଳାଳି । ମୁକାବିଲା ନକଲେ ଶେଷ ହୋଇପାରେ ବିରାଟ ବାହିନୀର ବିଶ୍ୱକପ୍ ଅଭିଯାନ ।

230

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଏହି ମ୍ୟାଚ୍ ଏବେ ଦୁଇ ଦଳ ପାଇଁ କର ବା ମର ହେବାକୁ ଯାଉଛି । କାହିଁକି ନା, ଏହି ମ୍ୟାଚରେ ପରାଜିତ ହେଲେ କୌଣସି ଦଳର ବିଶ୍ୱକପ୍ ଅଭିଯାନ ମଧ୍ୟ ଶେଷ ହୋଇପାରେ । ତେଣୁ ଏପରି ସ୍ଥିତିରେ ଦୁଇ ଦଳ ଏହି ମ୍ୟାଚରେ ବିଜୟ ସହିତ ଆଗକୁ ବଢିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ଦଳ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାଜୟ ଭୋଗିସାରିିଛି । ତେଣୁ ଏହି ମ୍ୟାଚରେ ପରାଜୟ ଦଳକୁ ବିଶ୍ୱକପର ବାହାର ରାସ୍ତା ଦେଖାଇପାରେ । ତେଣୁ ବିରାଟ ବାହିନୀ ଏହି ମ୍ୟାଚରେ ବିଜୟ ସହ ବିଶ୍ୱକପ୍ ଚାମ୍ପିୟନ ହେବାକୁ ଆଶା ରଖିଛି । ଅନ୍ୟପଟେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ୩ ଜଣ ଖେଳାଳି କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି ବୋଲି ଏବେ କ୍ରିକେଟ୍ ପଣ୍ଡିତମାନେ ଆକଳନ କରୁଛନ୍ତି ।

ଏହି ତିନି ଜଣ ନ୍ୟୁଜିଲାଣ୍ଡ ଖେଳାଳି ହେଲେ, କେନ୍ ୱିଲିୟମସନ, ଟ୍ରେଣ୍ଡ ବୋଲ୍ଟ ଓ ସ୍ପିନର ଇଶ ସୋଢୀ । ଏହି ତିନି ଖେଳାଳିଙ୍କୁ ଟକ୍କର ଦେଲେ ହିଁ ଟିମ୍ ଇଣ୍ଡିଆର ବିଜୟ ସହଜ ହୋଇପାରିବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେବେ ଏହା ପୂର୍ବରୁ ଶେଷ ଥର ପାଇଁ ୧୮ ବର୍ଷ ତଳେ ଭାରତ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ବିଜୟ ହାସଲ କରିଥିଲା । ତେଣୁ ୧୮ ବର୍ଷ ତଳର ଏହି ରେକର୍ଡ ଭାଙ୍ଗୁଛି ନା ରହୁଛି ତାହା ଉପରେ ଏବେ ନଜର ରହିଛି ।

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଏହା ପୂର୍ବରୁ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ଖେଳିଥିବାବେଳେ ସେଥିରୁ ଦମଦାର ୩୨୫ ରନ୍ ହାସଲ କରିଛନ୍ତି । ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମ୍ୟାଚରେ ତାଙ୍କର ଷ୍ଟାଇକ୍ ରେଟ୍ ୧୩୬ ରହିଛି । ତେଣୁ ଆଜି ମ୍ୟାଚରେ ଯଦି ସେ ବଡ ସ୍କୋର କରନ୍ତି ତେବେ ଭାରତର ବିଜୟ ଆଶା ଧୂଳିସାତ୍ ହୋଇପାରେ । ସେହିପରି ତାଙ୍କ ସଅଳ ଆଉଟ୍ କଲେ ଟିମ୍ ଇଣ୍ଡିଆର ବିଜୟ ଆଶା ମଧ୍ୟ ଉଜ୍ଜୀବିତ ହୋଇପାରିବ ।

ସେହିପରି ନ୍ୟୁଜିଲାଣ୍ଡ ଦଳର ଆଉ ଜଣେ ଖେଳାଳି ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି । ସେ ହେଲେ ଦ୍ରୁତ ବୋଲର ଟ୍ରେଣ୍ଡ ବୋଲ୍ଟ । ଟିମ୍ ଇଣ୍ଡିଆର ଆଗଧାଡିର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, କେ ଏଲ୍ ରାହୁଲ ଓ ବିରାଟ କୋହଲି ଲଗାତାର ବାମହାତୀ ବୋଲରଙ୍କ ବିପକ୍ଷରେ ଖେଳିବାକୁ ଅସୁବିଧା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଏପରି ସ୍ଥଳରେ ଟ୍ରେଣ୍ଡ ବୋଲ୍ଟଙ୍କ ଶାଣିତ ବୋଲିଂ ଟିମ୍ ଇଣ୍ଡିଆର ବିଜୟରେ ବ୍ରେକ୍ ଦେଇପାରେ । ତେଣୁ ଟ୍ରେଣ୍ଡ ବୋଲ୍ଟଙ୍କୁ ଉଚିତ୍ ମୁକାବିଲା ଭାରତର ବିଜୟ ଆଶା ବଢାଇବ ।

ଅନ୍ୟପଟେ ସ୍ପିନ୍ ବୋଲର ଇଶ ସୋଢୀ ମଧ୍ୟ ଭାରତ ବିପକ୍ଷରେ ଖତରନାକ୍ ସାବ୍ୟସ୍ତ ହୋଇପାରନ୍ତି । ଏହା ପୂର୍ବରୁ ସେ କୋହଲିଙ୍କୁ ୫ ଥର, ରାହୁଲଙ୍କୁ ୨ ଥର ଆଉଟ୍ କରିସାରିଛନ୍ତି । ଭାରତ ବିପକ୍ଷରେ ୧୨ଟି ମ୍ୟାଚରୁ ସେ ୧୭ଟି ୱିକେଟ୍ ନେଇଛନ୍ତି । ତେଣୁ ତାଙ୍କୁ ମୁକାବିଲା କରିବା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।