ଗୋଟେ ଦେଶରୁ ଅନ୍ୟଦେଶକୁ ଯିବାକୁ ହେଲେ ପାସପୋର୍ଟର ଆବଶ୍ୟକ ହୁଏ ଏହା ସମସ୍ତେ ଜାଣନ୍ତି ।

Advertisment

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ G-20 ରେ ଯୋଗଦେବାକୁ ଆଜି ଭାରତ ଆସୁଛନ୍ତି। ସେ ପାଲାମ ବାୟୁସେନା ଷ୍ଟେସନରେ ପହଞ୍ଚିବା ମାତ୍ରେ ତାଙ୍କର କୂଟନୈତିକ ପାସପୋର୍ଟ ପ୍ରଥମେ ଯାଞ୍ଚ କରାଯିବ । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନେତା ହେବା ପରେ ମଧ୍ୟ ତାଙ୍କୁ ତାଙ୍କ ପାସପୋର୍ଟ ଯାଞ୍ଚ କରିବାକୁ ପଡିବ । ଯେତେବେଳେ କି ଦୁନିଆରେ ଏପରି ୩ ଜଣ ଲୋକ ଅଛନ୍ତି ଯେଉଁମାନଙ୍କର  ବିଦେଶ ଯାତ୍ରା କରିବା ପାଇଁ ଭିସା ମଧ୍ୟ ଦରକାର ନାହିଁ । ପାସପୋର୍ଟ ତ ଦୂରର କଥା ।

ଜି -20 ସମ୍ମିଳନୀରେ ଭାଗନେବା ପାଇଁ ବିଶ୍ବର ବହୁନେତା ଆଜି ଦିଲ୍ଲୀ ଆସି ପହଞ୍ଚୁଛନ୍ତି । ସମସ୍ତଙ୍କ ପାଇଁ ବିଶେଷ ସୁବିଧା ଓ ସୁଯୋଗ ଦିଆଯାଉଛି । ପ୍ରାୟ ସମସ୍ତଙ୍କ ପାଖରେ କୂଟନୈତିକ(ଡିପ୍ଲୋମାଟିକ) ପସାପୋର୍ଟ ରହିଛି । ତଥାପି ମଧ୍ୟ ବିମାନବନ୍ଦରରେ ସମସ୍ତଙ୍କର ପସାପୋର୍ଟ ଯାଞ୍ଚ ହେବ । ଏହି ନିୟମ ପୃଥିବୀର ୩ ଜଣ ଲୋକଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ପାଇଁ ଲାଗୁହୁଏ ।

କୂଟନୈତିକ(ଡିପ୍ଲୋମାଟିକ) ପାସପୋର୍ଟ କ’ଣ?

କିଛି ମାସ ପୂର୍ବେ ରାହୁଲ ଗାନ୍ଧୀଙ୍କୁ ତାଙ୍କର କୂଟନୈତିକ ପାସପୋର୍ଟ ସମର୍ପଣ କରିବାକୁ ପଡିଥିଲା । ଏହା ପରେ ସେ ଏକ ସାଧାରଣ ପାସପୋର୍ଟରେ ଆମେରିକା ଯାତ୍ରା କରିଥିଲେ  । ନେତା ତଥା କିଛି ଅଧିକାରୀଙ୍କୁ କୂଟନୈତିକ ପାସପୋର୍ଟ ପ୍ରଦାନ କରାଯାଇଥାଏ ।  ଯେଉଁମାନେ ଦେଶର ପ୍ରତିନିଧୀ ଭାବରେ ବାହାରକୁ ଯାଆନ୍ତି । ଏହାର ରଙ୍ଗ ସାଧାରଣ ପସାପୋର୍ଟଠୁ ଭିନ୍ନ ଗାଢ ବାଦାମୀ ରଙ୍ଗର ହେଇଥାଏ ।

ଏହାର ଲାଭ କ’ଣ ?

ଏହି ପାସପୋର୍ଟଧାରୀଙ୍କୁ ଅନେକ ଅନ୍ତର୍ଜାତୀୟ ସୁବିଧା ମିଳିଥାଏ । ଯେପରି ତାଙ୍କୁ ବିଦେଶରେ ଗିରଫ କରାଯାଇପାରିବ ନାହିଁ କିମ୍ବା ବିଦେଶରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।  ଯେତେବେଳେ ସେମାନେ ଯାଇଥିବା ଦେଶରେ କୌଣସି ବିପଦ ଆସି ପହଞ୍ଚେ  ସେମାନଙ୍କୁ ପ୍ରଥମେ ଦେଶରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥାଏ । ବିଦେଶ ଦୂତାବାସରୁ ଯାତ୍ରା ପାଇଁ ଅନେକ ସୁବିଧା ପାଆନ୍ତି । ସେମାନକର ଭିସାର  ଆବଶ୍ୟକତା ପଡ଼େ ନାହିଁ । ଏହା ବ୍ୟତୀତ ଇମିଗ୍ରେସନ୍ କିମ୍ବା କୌଣସି ଔପଚାରିକତା ପାଇଁ ସେମାନକୁ  ଧାଡିରେ ଠିଆ ହେବାକୁ ପଡ଼େ ନାହିଁ ।

କେବଳ ତିନି ଜଣଙ୍କୁ ମିଳିଛି ସ୍ୱତନ୍ତ୍ର ସୁବିଧା

ପ୍ରଥମ ବିଶ୍ୱଯୁଦ୍ଧ ପରେ ପାସପୋର୍ଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହାର ଅର୍ଥ ବର୍ତ୍ତମାନ ଏହି ବ୍ୟବସ୍ଥାକୁ ୧୦୦ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି  । ଏହାର ଉଦ୍ଦେଶ୍ୟ ହେଉଛି ଦେଶରେ ବେଆଇନ ଅନୁପ୍ରବେଶକୁ ବନ୍ଦ କରିବା । ଏହା କିଛି ପରିମାଣରେ ସଫଳ ମଧ୍ୟ ହେଇଛି । ବିଦେଶକୁ ଯିବାକୁ ହେଲେ ଏହି ପସାପୋର୍ଟ ନିହାତି ଜରୁରୀ । ଏହା ସମସ୍ତଙ୍କ ପାଇଁ ଲାଗୁ ସେ ଯେତେବଡ ନେତା କି ଅଧିକାରୀ ହୁଅନ୍ତୁ । କିନ୍ତୁ ଦୁନିଆରେ ଏପରି ୩ ଜଣ ଅଛନ୍ତି ଯେଉଁମାନଙ୍କୁ ପାସପୋର୍ଟ କିମ୍ବା କୌଣସି  ପ୍ରକାରର ପରିଚୟ ପତ୍ରର  ଆବଶ୍ୟକତା ହୁଏନାହିଁ ।  ବିନା ପାସପୋର୍ଟରେ ଏହି ଲୋକମାନେ କେବଳ ଅନ୍ୟ ଦେଶରେ ପ୍ରବେଶ କରନ୍ତି ନାହିଁ ବରଂ ବିଶେଷ ଆତିଥ୍ୟ ମଧ୍ୟ ପାଆନ୍ତି ।

 ୧-ଏଥି ମଧ୍ୟରୁ ଜଣେ ହେଉଛନ୍ତି  ବ୍ରିଟିଶ ରାଜା ଚାର୍ଲ୍ସ

ରାଜାଙ୍କ ପୂର୍ବରୁ ଏହି ଅଧିକାର ବ୍ରିଟିଶ ରାଣୀ ଏଲିଜାବେଥଙ୍କ ପାଖରେ ଥିଲା । ରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନର ବୈଦେଶିକ ମନ୍ତ୍ରଣାଳୟ ତୁରନ୍ତ ସମସ୍ତ ଦେଶକୁ ଏକ ବାର୍ତ୍ତା ପଠାଇଲା ଯେ ବର୍ତ୍ତମାନ ଚାର୍ଲ୍ସ ରାଜା ଅଟନ୍ତି ତେଣୁ ତାଙ୍କୁ ସମସ୍ତ କୂଟନୈତିକ ଅଧିକାର ମିଳିବ ଯାହା ରାଣୀଙ୍କୁ ମିଳୁଥିଲା ।

କାହିଁକି ପାସପୋର୍ଟ ଆବଶ୍ୟକ ପଡ଼େନାହିଁ ?

ବ୍ରିଟେନର ସମସ୍ତ ପାସପୋର୍ଟ ନିୟମିତ କିମ୍ବା କୂଟନୈତିକ ହେଉ ତାହା ତାଙ୍କ ରାଜତନ୍ତ୍ରର ମୁଖ୍ୟଙ୍କ ନାମରେ ପ୍ରଦାନ କରାଯାଇଛି । ଅର୍ଥାତ୍ ସମଗ୍ର ଦେଶର ପରିଚୟ ହେଉଛି ଏହି ରାଜା ବା ରାଣୀ । ଏହି କାରଣରୁ ରାଜା/ରାଣୀ  ନିଜେ ପାସପୋର୍ଟ ଆବଶ୍ୟକ କରନ୍ତି ନାହିଁ ।  ଦ୍ୱିତୀୟତଃ  ଯେତେବେଳେ ପାସପୋର୍ଟ ବ୍ୟବସ୍ଥା ଆରମ୍ଭ ହେଲା ସେତେବେଳେ ଇଂଲଣ୍ଡ ଅନେକ ଦେଶ ଉପରେ ଶାସନ କରୁଥିଲା ତେଣୁ ତାଙ୍କର ପାସପୋର୍ଟ ଆବଶ୍ୟକ ହୁଏଣୀ । ଏହା ମଧ୍ୟ କୁହାଯାଏ ଯେ ଏହି ଧାରା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି ।

୨,୩ - ଜାପାନର ରାଜା ଏବଂ ରାଣୀଙ୍କର ମଧ୍ୟ ପସାପୋର୍ଟ ଦରକାର ହୁଏନାହିଁ 

ଜାପାନରେ ଆଜି ମଧ୍ୟ ରାଜତନ୍ତ୍ର ଅଛି । ଏହି ଦେଶ ତାର ପରିଚୟ ରାଜା ଏବଂ ରାଣୀଙ୍କ ସହିତ ଜଡ଼ିତ । ଜାପାନର ସମ୍ରାଟ ନାରୋହିତୋ ଏବଂ ରାଣୀ ମାସାକୋ ଓବାଦା ଅଛନ୍ତି । ୨୦୧୯ ରୁ ସେମାନେ ଏହି ପଦବୀରେ ଅଛନ୍ତି ।  ବ୍ରିଟେନ ସହିତ ଜାପାନର ମଧ୍ୟ ସମାନ ରାଜତନ୍ତ୍ର ନିୟମ ରହିଛି । ସତୁରି ଦଶକରେ ସେଠାରେ ସଂସଦ ନିଷ୍ପତ୍ତି ନେଇଥିଲା ଯେ ସେମାନେ ସେମାନଙ୍କର ରାଜା ଏବଂ ରାଣୀଙ୍କୁ ସାଧାରଣ ଅନୁସନ୍ଧାନ ପ୍ରକ୍ରିୟା ଦେଇ ଯିବାକୁ ଦେବେ ନାହିଁ । ସେହି ଦିନଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇଆସୁଛି । ପ୍ରତ୍ୟେକ ଥର ସିଂହାସନରେ ଜଣେ ନୂତନ ସମ୍ରାଟଙ୍କ ଆଗମନ ସହିତ ଜାପାନର ବୈଦେଶିକ ମନ୍ତ୍ରଣାଳୟ ସମସ୍ତ ଦେଶମାନଙ୍କୁ ଏକ ଆନୁଷ୍ଠାନିକ ଚିଠି ପଠାଏ । ଯେଉଁଥିରେ ଏହି ବିଷୟ ଉଲ୍ଲେଖ ରହିଥାଏ ।

ଏମାନଙ୍କ ଛଡା ପୃଥିବୀରେ ଆହୁରି ବହୁତ ଦେଶ ଅଛନ୍ତି ଯେଉଁଠି ରାଜତନ୍ତ୍ର ଶାସନ ଚାଲିଛି । କିନ୍ତୁ ସେ ଦେଶର ମୁଖ୍ୟ ମାନଙ୍କୁ ଏପରି ସୁବିଧା ମିଳେନାହିଁ । ବିଦେଶକୁ ଗଲେ ସେମାନଙ୍କୁ ପସାପୋର୍ଟ ଦେଖେଇବାକୁ ପଡ଼ିଥାଏ ।