ଏହି ୧୩ଟି ଆପ୍ ଆପଣଙ୍କୁ କରିପାରେ କ୍ଷତିଗ୍ରସ୍ତ ! ବ୍ୟାଙ୍କ ଡାଟା ଚୋରି ହେବାର ରହିଛି ଆଶଙ୍କା ।

340

ଅନଲାଇନ୍ ବ୍ୟାଙ୍କ ଡ଼ାଟା ଚୋରି ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି, ଯେଉଁଠି ବ୍ୟାଙ୍କର ଅନଲାଇନ୍ ସାଇଟର ବ୍ୟବହାର କରିବା ଜମାକାରୀଙ୍କୁ ଭାରୀ ପଡ଼ିଛି । କିଛି ଲୋକ ଅନଲାଇନ୍ ବ୍ୟାଙ୍କିଙ୍ଗର ବ୍ୟବହାର କରି ଠକାମିର ଶିକାର ହୋଇଥିବା ବେଳେ କିଛି ନକଲି ଫୋନ କଲର ଶିକାର ହୋଇ ସଞ୍ଚୟ କରିଥିବା ଟଙ୍କା ହରାଇଛନ୍ତି । ଏବେ ମୋବାଇଲରେ ଇନଷ୍ଟଲ ଥିବା ଆପ୍ ମାଧ୍ୟମରେ ମଧ୍ୟ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଥିବା ଜଣା ପଡ଼ିଛି । ଏ ନେଇ ଗୁଗଲ ନିଜ ପ୍ଲେ ଷ୍ଟୋରରୁ ୧୩ଟି ଆପ୍ ହଟାଇ ଦେଇଥିବା ଜଣା ପଡ଼ିଛି । ଏହି ଆପ୍ ଗୁଡ଼ିକ ଡ଼ିଭାଇସରେ ମାଲେଓ୍ଵର ଇନଷ୍ଟଲ କରୁଥିବାରୁ ଏହାକୁ ହଟାଇ ଦେଇଛି ଗୁଗଲ । ଟୁଇଟରରେ ଏ ନେଇ ଇଏସଇଟି ସିକ୍ୟୁରିଟି ରିସଚର୍ସ ଲୁକାସୋ ଷ୍ଟେଫାକୋ ସୂଚନା ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଏ ପର‌୍ୟ୍ୟନ୍ତ ହଟାଯାଇଥିବା ୧୩ଟି ଆପକୁ ୫,୬୦,୦୦୦ଲୋକ ନିଜ ନିଜର ଫୋନରେ ଇନଷ୍ଟଲ କରିଥିବା ସୂଚନା ମିଳିଛି । ଯେଉଁ ଆପରେ ମାଲେଓ୍ଵର ଇନଷ୍ଟଲ କରିବାର ଆରୋପ ଲାଗିଛି, ସେହି ଆପ୍ ମଧ୍ୟରେ ‘ଟ୍ରକ୍ କାର୍ଗୋ ସିମ୍ୟୁଲେଟର’, ‘ଏକ୍ସଟ୍ରିମ୍ କାର୍ ଡ଼୍ରାଇଭିଙ୍ଗ୍’ ଏବଂ ‘ହାଇପର କାର୍ ଡ଼୍ରାଇଭିଙ୍ଗ ସିମ୍ୟୁଲେଟର’ ଇତ୍ୟାଦିର ନାମ ରହିଥିବା ସ୍ପଷ୍ଟ କରାଯାଇଛି ।

ଏହି ଆପଗୁଡ଼ିକ ବ୍ୟବହାରକାରୀଙ୍କୁ ଏପିକେ ଗେମ୍ ସେଣ୍ଟର ଇନଷ୍ଟଲ କରିବା ପାଇଁ ଉତ୍ସାହିତ କରିଥାଏ । ଏହି ଆପ୍ ଇନଷ୍ଟଲ କରାଯିବା ପରେ ଏହା ଚୁପ୍ ଚାପ୍ ନିଜର କାମ କରିଥାଏ । ଫୋନରେ ରହି ଏହା ବ୍ୟବହାରକାରୀଙ୍କ ସବୁ ଗତିବିଧି ଉପରେ ନଜର ରଖିବା ସହ ବ୍ୟବହାରକାରୀଙ୍କ ସହ ଜଡ଼ିତ ସବୁ ସୂଚନା ଜାଣି ନେଇଥାଏ । ଏହି ଆପ୍ ମାଧ୍ୟମରେ ବ୍ୟାଙ୍କ ଡ଼ାଟା ଚୋରି ହେବାର ଆଶଙ୍କା ରହିଛି ବୋଲି ଜାଣିବା ପରେ ଏହାକୁ ପ୍ଲେ ଷ୍ଟୋରରୁ ହଟାଇଛି ଗୁଗଲ ।