ଭୁବନେଶ୍ୱରରେ ଆହୁରି ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । ୩୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ

802

କନକ ବ୍ୟୁରୋ: ଆହୁରି ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା । ୩୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । ଆଦିତ୍ୟ-ଅଶ୍ୱିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା କରାଯିବ । ନୀଳାଚଳ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ ପାଇଁ କାମ ଆରମ୍ଭ ହେବ । ୧୫ ଆଇସିୟୁ ସହ ୧୨୬ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପାଇଁ କାମ ଚାଲିବ । ରାଜଧାନୀରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ ହେବ ।

ତେବେ ଦୁଇ ଜିଲ୍ଲାରେ କରୋନା ସ୍ଥିତି ମୁକାବିଲା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ ଅଟେ। ଏଥିପାଇଁ ଆଜି ଦୁଇ ଜିଲ୍ଲାର କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମକୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲା ପାଇଁ ୧୫ କୋଟି ଲେଖାଏଁ ସମୁଦାୟ ୩୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।

ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍‌ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି। କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।