କନକ ବ୍ୟୁରୋ : ଅକ୍ସଫୋର୍ଡର କୋଭିସିଲ୍ଡ ଟିକା ପରେ ଓଡିଶାକୁ ଆସିଛି ସଂପୂର୍ଣ୍ଣ ଦେଶଟିକା କୋଭାକ୍ସିନ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ଭାରତ ବାୟୋଟେକର ଏହି ଟିକା କେବଳ ଭୁବନେଶ୍ୱରରେ ଦିଆଯିବ । ବାକି ଜିଲ୍ଲାଗୁଡିକରେ କୋଭିସିଲ୍ଡ ଟିକା ଦିଆଯିବ । କୋଭାକ୍ସିନର ୨୦ ହଜାର ଡୋଜ ଆସିବା ପରେ ଓଡିଶାରେ ଦୁଇଦିନରେ ଆସି ପଂହଚିଛି ୪ ଲକ୍ଷ ୨୮ ହଜାର ଡୋଜ ଟିକା । ୨୮ ଦିନ ବ୍ୟବଧାନରେ ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇପାରିବ ।

Advertisment

ଦୁଇଦିନ ପରେ ଜାନୁଆରୀ ୧୬ ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏପଟେ ଓଡିଶା ମଧ୍ୟ ଟିକାକରଣ ପାଇଁ ପ୍ରସ୍ତୁତ ହୋଇରହିଛି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ୭୭୭ ଜଣ ସ୍ୱାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି । ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାକୁ ସ୍ଥିର ହୋଇଛି ।

ପ୍ରଥମ ଡୋଜରେ ୫୦ ପ୍ରତିଶତ ଟିକା ବ୍ୟବହାର କରାଯିବ । ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟିକାକରଣ ହେବ । ଗୋଟିଏ ଦିନରେ ସର୍ବାଧିକ ୧୦୦ଜଣ ଗୋଟିଏ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ପଞ୍ଜିକରଣ ଦିନ ହିଁ ଟିକା ଦିଆଯିବା ନହେଲେ ପଞ୍ଜିକୃତ ବ୍ୟକ୍ତି ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ ।

କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ରାଜ୍ୟ ଟିକା ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଟିକା ଦିଆଯାଇଛି । ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟକର୍ମୀ ଟିକାକରଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏବେ ଅପେକ୍ଷା ୧୬ ତାରିଖର ସବୁଠାରୁ ବଡ ଟିକାକରଣ ଅଭିଯାନକୁ ।