ଘରୋଇ ଭଳି ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ । ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ରର ଅନୁମୋଦନ । ଖର୍ଚ୍ଚ ହେବ ପ୍ରାୟ ୩ ଲକ୍ଷ କୋଟି

745

କନକ ବ୍ୟୁରୋ: ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ । ଦେଶରେ ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ନୂଆ ଶିକ୍ଷା ନୀତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ସମଗ୍ର ଶିକ୍ଷା ଯୋଜନା ପାଇଁ ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧ ଲକ୍ଷ ୮୫ ହଜାର ୩୯୮ କୋଟି ଟଙ୍କା ।

ଏହି ଯୋଜନାରେ ୧୧ ଲକ୍ଷ ୬୦ ହଜାର ସ୍କୁଲ ଏବଂ ୧୫ କୋଟି ୬୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସରକାରୀ ସ୍କୁଲରେ କିପରି ଉଚ୍ଚମାନର ଶିକ୍ଷାଦାନ କରାଯିବ, ଏଥିରେ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା, ୨୦୨୧ରୁ ଆରମ୍ଭ ହୋଇ ୨୦୨୬, ଅର୍ଥାତ୍ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ବିବିଧ ଭାଷା ଓ ବିଭିନ୍ନ କ୍ଷମତା ପୃଷ୍ଠଭୂମିର ପିଲାମାନଙ୍କୁ ଶ୍ରେଣୀଗୃହ ଶିକ୍ଷା ପ୍ରକ୍ରିୟାରେ ସକ୍ରିୟ କରାଯିବାର ବ୍ୟବସ୍ଥା ହୋଇଛି ।

ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବ । ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ କମ ସମୟ ମଧ୍ୟରେ ଜମା ହେବ । ୫ ବର୍ଷ ମଧ୍ୟରେ ଅନ୍ୟୁନ ଥରେ ସବୁ ସ୍କୁଲର ସୋସିଆଲ୍ ଅଡିଟ୍ କରାଯିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରି-ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର, ଶିକ୍ଷକ, ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଏହି ଯୋଜନା କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ।