ନୂଆ ଭୋଟ୍, ପୁରୁଣା ପ୍ରାର୍ଥୀ: ପିପିଲି ଉପନିର୍ବାଚନ ପାଇଁ ହେବନାହିଁ ସାନି ନାମାଙ୍କନ

262

କନକ ବ୍ୟୁରୋ: ପିପିଲି ପାଇଁ ହେବ ନୂଆ ଭୋଟ୍ କିନ୍ତୁ ସେଇ ପୁରୁଣା ପ୍ରାର୍ଥୀ ରହିବେ । ପିପିଲି ଉପନିର୍ବାଚନ ପାଇଁ ଆଉ ହେବନାହିଁ ସାନି ନାମାଙ୍କନ । ପ୍ରମୁଖ ତିନିଟି ଦଳ ପୂର୍ବରୁ ଘୋଷଣା କରିଥିବା ପ୍ରାର୍ଥୀ ହିଁ ନିର୍ବାଚନ ଲଢିବେ । ବିଜେଡି ଟିକେଟରେ ଲଢିବେ ରୁଦ୍ର ମହାରଥୀ, ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଆଶ୍ରୀତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ଲଢିବେ ନିର୍ବାଚନ ।

ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିଜୟ ସଂପର୍କରେ ମତ ରଖି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ୪୦ ହଜାର ଭୋଟରେ ଜିତିବେ ରୁଦ୍ର । କରୋନା କାରଣରୁ ଦୁଇ ଦୁଇ ଥର ସ୍ଥଗିତ ରହିଥିଲା ପିପିଲି ଉପନିର୍ବାଚନ । ପିପିଲିର ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ବିଧାନସଭା ଆସନ ଖାଲି ପଡିଛି ।

ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । ସେପ୍ଟେମ୍ବର ୩୦ ତାରିଖରେ ପଡିବ ଭୋଟ୍, ଅକ୍ଟୋବର ୩ରେ ହେବ ଗଣତି । ଏନେଇ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଭୋଟ ଗ୍ରହଣର ୯ ଦିନ ପୂର୍ବରୁ ପ୍ରଚାର ହେବ । ଅର୍ଥାତ୍ ସେପ୍ଟେମ୍ବର ୨୦ ତାରିଖରୁ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରିପାରିବେ । କରୋନା କଟକଣା ଭିତରେ ପ୍ରଚାର କରାଯିବ । ନିର୍ବାଚନୀ ସଭା, ଶୋଭାଯାତ୍ରା କି ବାଇକ୍ ରାଲି ହୋଇପାରିବ ନାହିଁ । ପ୍ରାର୍ଥୀ ମାନେ ଘରକୁ ଘର ବୁଲି ଭୋଟ ପାଇଁ ପ୍ରଚାର କରିବେ । ଏଥିରେ ପ୍ରାର୍ଥୀଙ୍କ ସହ କେବଳ ୫ ଜଣ ରହିପାରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି ।