ଇସ୍କନ ମନ୍ଦିର ଆଗରେ ଆଉ ଜମିବନି ପାଣି । ପାଣି ନିଷ୍କାସନ ପାଇଁ ବ୍ୟବହାର ହେବ ସ୍ପଞ୍ଜ ଟେକ୍ନୋଲୋଜି, ଜର୍ମାନ ଦେବ ସହାୟତା । 

394

କନକ ବ୍ୟୁରୋ : ଭୁବନେଶ୍ୱର ଇସ୍କନ ମନ୍ଦିର ପାଖରେ ଟିକିଏ ବର୍ଷା ହେଲେ କେମିତି ପାଣି ଭର୍ତ୍ତି ହୋଇଯାଇଥାଏ, ତାହା ଆପଣମାନେ ଦେଖିଛନ୍ତି । ବର୍ଷା ହେଲେ ଅଣ୍ଟା ପର୍ଯ୍ୟନ୍ତ ପାଣି ଜମିଯାଏ ଏହି ସ୍ଥାନରେ । ଜୁଲାଇ ମାସରେ କେମିତି ବର୍ଷାରେ ଏହି ସ୍ଥାନରେ ପାଣି ଜମିଯାଇଥିଲା ଓ କାର ଠାରୁ ଆରମ୍ଭ ହୋଇ ବସ ପର୍ଯ୍ୟନ୍ତ କେମିତି ଏହି ସ୍ଥାନରେ ଚଳାଚଳରେ ସମସ୍ୟା ଦେଖା ଦେଇଥିଲା ତାହା ଆମେ ସମସ୍ତେ ଜାଣିଛେ ।

ତେବେ ଏହି ସମସ୍ୟାଟି ଆଜିର ନୁହେଁ । ବର୍ଷ ବର୍ଷ ଧରି ଏପରି ସମସ୍ୟା ଦେଖିବାକୁ ମିଳିଛି । ବର୍ଷା ଦିନ ହେଉ କି ଅଦିନିଆ ବର୍ଷା ଏହି ପଟେ ଯିବାବେଳେ ନାକେଦମ ହୋଇଯାଆନ୍ତି ଲୋକେ । ରାଜଧାନୀ ଚକ୍ ଚକ୍ ରାସ୍ତା ପାଣିରେ ଦେଖାଯାଏନାହିଁ । କିନ୍ତୁ ଏବେ ଏ ସମସ୍ୟାର ସମାଧାନ ହେବ । ଏବେ ଆଉ ପାଣି ଜମିବ ନାହିଁ ଏହି ରାସ୍ତାରେ ।

ଭୁବନେଶ୍ୱର ଇସ୍କନ ମନ୍ଦିର ପାଖରେ ନୂତନ ଜ୍ଞାନ କୌଶଳର ସ୍ପଞ୍ଜ ଟେକ୍ନୋଲୋଜି ବ୍ୟବହାର କରାଯିବ । ଏନେଇ ବୈଷୟିକ ସହାୟତା ଯୋଗାଇଦେବ ଜର୍ମାନି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ସ୍ପଞ୍ଜ ଟେକ୍ନୋଲୋଜି କଣ । ଏହା ଗୋଟିଏ ଏପରି ଟେକ୍ନୋଲୋଜି ଯାହାଦ୍ୱାରା ପାଣି ସେହି ସ୍ଥାନରେ ପଡିଲେ ମଧ୍ୟ ତାହା ଜମିବ ନାହିଁ । ତାହା ଶୁଖିଯିବା ଭଳି ଲାଗିବ । କିନ୍ତୁ ପାଣି ଯାଇ ଅନ୍ୟ ସ୍ଥାନରେ ଜମା ହେବ । ଆସନ୍ତା ବର୍ଷ ବର୍ଷାରେ ବର୍ଷା ଜଳକୁ ଏହି ପ୍ରକ୍ରିୟାରେ ଉପରେ ନେଇ ଏକ ଟାଙ୍କିରେ ରଖାଯାଇ ଅବଶୋଷିତ କରାଯିବ । ସ୍ମାର୍ଟ ସିଟି ପ୍ରକଳ୍ପରେ ଭାରତ ସରକାରଙ୍କ ପରାମର୍ଶ କ୍ରମେ ଓଡିଶାର ଭୁବନେଶ୍ୱର ପାଇଁ ଏହି ପ୍ରକଳ୍ପ ଜର୍ମାନୀ କରିବ ବୋଲି ସୂଚନା ଦେଇଛନ୍ତି ଜର୍ମାନୀ ଆମ୍ବାସେଡର ଓାଲଟର ଜେ ଲିଣ୍ଡନେର ।