କନକ ବ୍ୟୁରୋ: ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ସେହିପରି ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ଏହି ସଂଶୋଧନ ଦ୍ୱାରା ଜମି ମାଲିକମାନେ ସେମାନଙ୍କ ଚକ ଜମି ବିଭାଜନ କରିପାରିବେ । ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଏହା ଦ୍ୱାରା ରେଜିଷ୍ଟ୍ରୀ ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ୱ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ କ୍ୟାବିଟେନ୍ରେ ଏଭଳି ଏକ ନିଷ୍ପତି ନିଆଯାଇଛି, ଯାହା ବର୍ଷ ବର୍ଷ ଧରି ଚାଷୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରି ଆସୁଥିଲା । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ । ଫଳରେ ଏଣିକି ଚକବନ୍ଦୀ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଜମି ପଟ୍ଟା ସଂଶୋଧନ ମଧ୍ୟ କରିପାରିବେ ଜମି ମାଲିକ । ଏହା ଦ୍ୱାରା ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ୱ ଶୁଳ୍କର ଆଦାୟ ବୃଦ୍ଧି ପାଇବ ।
ଅଧିନିୟମର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ଥିଲା । ସେହିପରି ଧାରା ୩୫ ଅନୁସାରେ, ଯଦି ଧାରା ୩୪କୁ ଉଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହେଉଥିବ, ତାହା ଅବୈଧ ବିବେଚିତ ହେଉଥିଲା । ଆଉ ଏହି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ଚାଷୀ ଖୁସ୍ । କାରଣ, ଘର ନିର୍ମାଣ, ପୁଅ-ଝିଅ ବାହାଘର କିମ୍ବା ମେଡିକାଲ ଖର୍ଚ୍ଚ ପାଇଁ ଜମିର କିଛି ଅଂଶ ବିକିିବାକୁ ଚାହୁଁଥିଲେ ତାହା ସମ୍ଭବ ହେଉନଥିଲା । ଏବେ ତାହା ସମ୍ଭବ ହେବ ।
ସରକାରଙ୍କ ଏହି ନିଷ୍ପତି ସାମଗ୍ରିକ ଭାବେ ଚାଷୀଙ୍କୁ ସହାୟକ ହେବ ଏବଂ ବ୍ୟବସ୍ଥାର ସରଳୀକରଣ ଯୋଗୁଁ ଅନେକ ଲୋକ ଉପକୃତ ହେବେ ବୋଲି କହିଛନ୍ତି ଅବସରପ୍ରାପ୍ତ ଆରଆଇ । ଯଦିଓ ଚାଷୀ ତଥା ଜମି ମାଲିକଙ୍କ ପାଇଁ କ୍ୟାବିନେଟର ଏହି ନିଷ୍ପତି ସହାୟକ ହେବ, ତଥାପି ଚକବନ୍ଦୀ ବ୍ୟବସ୍ଥାର ମୂଳ ଉର୍ଦ୍ଦେଶ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।