• ୧୦୦ ଜନସଂଖ୍ୟା ଗ୍ରାମକୁ ଯିବ ପିଚୁ ରାସ୍ତା
  • ୧୦୦ ଦିନରେ ହେବ ୨୦୦ ବ୍ରିଜ
  • ପ୍ରତି ବ୍ରିଜରେ ନିର୍ମାଣ ହେବ ବ୍ୟାରେଜ
  • ଲୋକାଲ ଡିପ୍ଲୋମା ଇଞ୍ଜିନିୟରିଂ ପିଲାଙ୍କୁ ଟ୍ରେନିଂ ଦିଆଯିବ

କନକ ବ୍ୟୁରୋ: ପ୍ରତି ଗ୍ରାମକୁ ସଂଯୋଗ ହେବ ପିଚୁ ରାସ୍ତା । ଆଉ ଖଟିଆରେ ବୁହା ହେବେନି ରୋଗୀ। ୧୦୦ ଜନ ସଂଖ୍ୟା ବିଶିଷ୍ଠ ଗାଁକୁ ପିଚୁ ରାସ୍ତାରେ ସଂଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗାଁ ଗୁଡିକର ତାଲିକା ପ୍ରସ୍ତୁତ ସରିଛି । ପିଏମଜନମନ ଯୋଜନାରେ ପ୍ରିମିଟିଭ ଟ୍ରାଇଭ ଥିବା ଗାଁକୁ ରାସ୍ତା ହେବ। ୩୫୦ କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି। ପୂର୍ବ ସରକାର ସମୟରେ ବ୍ରିଜ କମ ୱେର ଯୋଜନାର ନୂଆ ରୂପରେଖ ତିଆରି ହୋଇଛି। ଏବେଠାରୁ ବ୍ରିଜ କମ ବ୍ୟାରେଜର ନିର୍ମାଣ ହେବ। ଏହା ଦ୍ୱାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡବଲ ଲାଇନ କରାଯିବ ବୋଲି ବିଭାଗୀୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ।

ସେହିପରି ବିଭାଗୀୟ ଅଧିକାରୀ ଓ କର୍ମୀଙ୍କୁ ମନ୍ତ୍ରୀ ଚରମ ବାଣୀ ଶୁଣାଇଛନ୍ତି । ସିଧା ସିଧା କହିଛନ୍ତି କାମ ଖରାପ ହେଲେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ଉପରେ ହେବ ଆଇନ ଗତ କାର୍ଯ୍ୟାନୁଷ୍ଠାନ । ଆଗାମୀ ୧୦୦ ଦିନ ଭିତରେ ୨୦୦ ବ୍ରିଜ କାମ ସାରିବା ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଅଫିସର ଗାଁକୁ ଯାଆନ୍ତୁ ଓ ସରକାରୀ ଯୋଜନା ଠିକ ଭାବେ କାମ କରୁ ବୋଲି ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ। ଆଉ ବାହାର ଲୋକ ନୁହଁ ଲୋକାଲ ଲୋକଙ୍କୁ ମିଳିବ ଆର ଡି ବିଭାଗର କାମ। ଅଞ୍ଚଳର ଅନେକ ଡିପ୍ଲୋମା ଓ ଇଞ୍ଜିନିୟରିଂ ପିଲାଙ୍କୁ ଟ୍ରେନିଂ ଦେଇ କାମରେ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।