ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ ।

232

କନକ ବ୍ୟୁରୋ: ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ । ପୂର୍ବରୁ ବିଦେଶୀ ଟିକାର ଦେଶରେ ପରୀକ୍ଷା ପାଇଁ ସରକାର ରଖିଥିବା ସର୍ତକୁ ହଟାଇ ନେଇଛନ୍ତି । ଫଳରେ ବିଦେଶୀରୁ ଟିକା ଆମଦାନୀ ବି ବଢିବ ଏବଂ ଟିକା ଆମଦାନୀ ପରେ ଏହା ତୁରନ୍ତ ଲୋକଙ୍କୁ ଦିଆଯାଇ ପାରିବ । ଆଗକୁ ମଡନା, ଫାଇଜର, ଜନସନ ଆଣ୍ଡ ଜନସନ ଭଳି ଟିକାର ସ୍ଥାନୀୟ ଟ୍ରାଏଲ ନକରାଯାଇ ଲୋକଙ୍କୁ ଦିଆଯାଇ ପାରିବ । ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣର ମୁକାବିଲା ପାଇଁ ଭାରତରେ ଜୋରସୋରରେ ଟିକାକରଣ କରାଯାଉଛି । ହେଲେ ଟିକା ଅଭାବ, ଟିକାକରଣ ଅଭିଯାନରେ ବାଧକ ସାଜୁଛି । ଏହାର ସମାଧାନ ପାଇଁ ବିଦେଶୀ ଟିକା ପାଇଁ ନୀତି ପରିବର୍ତନ କରିଛନ୍ତି ଭାରତ ସରକାର ।

କରୋନା ଭୂତାଣୁର ଦ୍ୱିତୀୟ ଲହରରେ ଦେଶରେ ଦ୍ରୁତ ଟିକାକରଣ କରିବା ପାଇଁ ଭାରତ ସରକାର ବଡ ପଦକ୍ଷେପ ନେଇଛନ୍ତି । ବିଦେଶରେ ନିର୍ମିତ କରୋନା ଟିକାକୁ ଭାରତରେ ମାନବ ପରୀକ୍ଷଣର ବାଧ୍ୟତା ମୂଳକ ସର୍ତ ଉପରେ ରୋକ ଲଗାଇଛନ୍ତି । ଭାରତ ସରକାରଙ୍କ ଏହି ପଦକ୍ଷେପ ପରେ ବିଦେଶୀ ଟିକା ଆମଦାନୀ ବଢିବ ।  ଆଉ ଟିକା ଆସିଲେ ଶୀଘ୍ର ଲୋକଙ୍କୁ ଟିକାକରଣ କରାଯାଇପାରିବ ।

ଭାରତ ସରକାର ବିଦେଶୀ ଟିକାର ଦେଶି ଟ୍ରାଏଲ ଉପରେ ଏପରି ସମୟରେ ରୋକ ଲଗାଇଛନ୍ତି । ଯେତେବେଳେ ମହାମାରୀ ଭୂତାଣୁର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଶାନ୍ତ ପଡିଥିଲେ ମଧ୍ୟ ଦୈନିକ ୨ଲକ୍ଷ ଲୋକ ନୂଆ ଆକ୍ରାନ୍ତ ଓ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଆଉ ଏପଟେ ମଡର୍ଣ୍ଣା, ଫାଇଜର, ଜନସନ ଆଣ୍ଡ ଜନସନ ଟିକା ପାଇଁ କଥାବାର୍ତା ଚଳାଇଛନ୍ତି କେନ୍ଦ୍ର ସରକାର । ଏଥିସହ ସାରା ବିଶ୍ୱର ଟିକା ନିର୍ମାତା ଭାରତରେ ଆସି ଭାରତ ପାଇଁ ଓ ସାରା ବିଶ୍ୱ ପାଇଁ ଟିକା ପ୍ରସ୍ତୁତ କରିବାକୁ ଅପିଲ କରିଛନ୍ତି ମୋଦି ସରକାର ।

ଭାରତରେ ଏବେ ତିନୋଟି କରୋନା ଟିକା ନାଗରିକଙ୍କୁ ଦିଆଯାଉଛି । ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ୟୁନିର୍ଭସିଟି ପ୍ରସ୍ତୁତ କୋଭିସିଲଡ, ଭାରତ ବାୟୋଟିକ-ଆଇସିଏମଆର ପ୍ରସ୍ତୁତ କୋଭାକ୍ସିନ ଓ ରୁଷିଆ ଟିକା ସ୍ପୁଟନିକ-ଭିକୁ ଜରୁରୀକାଳୀନ ଅନୁମତି ଦିଆଯାଇଛି । ଆଗକୁ ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ଉପରେ ରୋକ ଲାଗିଥିବାରୁ ଅଧିକ ଟିକା ଆମଦାନୀ କରିବା ସହ ଶୀଘ୍ର ଲୋକଙ୍କୁ ଟିକାକରଣ କରାଯାଇ ପାରିବ ।