କନକ ବ୍ୟୁରୋ: ତାତି କଷ୍ଟରୁ ବଳି ପଡ଼ୁଛି ଘନଘନ ବିଦ୍ୟୁତ କାଟ୍ । ଘରେ ରହିବା ଲୋକଙ୍କ ପାଖରେ ହେଉଛି କଷ୍ଟକର । ପ୍ରତିଦିନ ବିଜୁଳି କାଟକୁ ନେଇ ଲୋକଙ୍କ ଭିତରେ ଦେଖାଦେଉଛି ଜନ ଅସନ୍ତୋଷ । ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ୫ ଦିନ ହେବ ଲାଗି ରହିଛି ବିଦ୍ୟୁତ ସମସ୍ୟା । ଅଭିଯୋଗ କେହି ନଶୁଣିବାରୁ ଗାଁକୁ ମିଟର ରିଡିଂ ପାଇଁ ଆସିଥିବା ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ ବାରମ୍ବାର ବିଦ୍ୟୁତ କାଟ ପାଇଁ ନାକେଦମ୍ ହେଲେଣି ଲୋକେ । ଦିନକୁ ୫ରୁ ୭ ଘଂଟା କଟୁଛି ବିଜୁଳି । ଅସହ୍ୟ ଗରମସାଙ୍ଗକୁ ବିଦ୍ୟୁତ କାଟ୍ ଘରେ ଚଳିବା କଷ୍ଟକର ହେଉଛି । ବିଦ୍ୟୁତ କାଟ୍ ପାଇଁ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ସମସ୍ୟା ଦେଖାଦେଇଛି ।

Advertisment

ସେପଟେ କଟକ ବଡ଼ମ୍ବା ବ୍ଲକ ଦାଣ୍ଡଖୁମ୍ଭ ଗାଁରେ ୨୦ ଦିନ ହେବ ବନ୍ଦ ରହିଛି ବିଦ୍ୟୁତ ସେବା । ବାରମ୍ବାର ବଡ଼ମ୍ବା ସଦର ମହକୁମାରେ ଥିବା ଟିପିସିଓଡିଏଲ ବିଦ୍ୟୁତ ବିଭାଗ ଅଫିସକୁ ଦୌଡ଼ୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । କାଳବୈଶାଖୀ ପ୍ରଭାବରେ ଟ୍ରାନ୍ସଫରମର ପୋଡ଼ି ଯାଇଥିବାରୁ ସଜାଡିବାରେ ବ୍ୟତିକ୍ରମ ଦେଖାଦେଇଛି । ଗାଁର ପିଲାଠୁ ବୟସ୍କ ଲୋକ ବିଦ୍ୟୁତ ବିନା ହଇରାଣ ହେଉଛନ୍ତି । ସେହିପରି ନିଆଳି ବ୍ଲକରେ ଅତିଷ୍ଠ କଲାଣୀ ବିଦ୍ୟୁତ କାଟ୍ । ଦିନ ୩ଟାରୁ ଲାଇନ କଟିଲେ ଆସିବାର ଠିକ୍ ଠିକଣା ରହୁଣି । ରାତିରେ ଗରମରେ ଘରେ ରହିବା କଷ୍ଟକର ହେଉଥିବାରୁ ଘର ବାରଣ୍ଡାରେ ବସି ବିଂଚି ହେଉଛନ୍ତି ଲୋକେ । ବିଲ ନେବା ବେଳେ ଠିକ୍ ସମୟରେ ଆସି ନେଉଥିବା ବେଳେ ଲାଇନ୍ କଟିଲେ କେହି ଶୁଣୁନଥିବା କହିଛନ୍ତି ଲୋକେ ।

ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟ ବଢ଼ାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବାରମ୍ବାର ବିଦ୍ୟୁତ କାଟ ପାଇଁ ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା ।