କନକ ବ୍ୟୁରୋ: କୋଶଳୀ ଭାଷାରେ ହେବନି ଧନୁଯାତ୍ରା । ମନା କଲେ କଂସ ମହାରାଜ । କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକରେ ଉଠିଥିଲା ଏହି ପ୍ରସଙ୍ଗ । ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରିବା ସମ୍ଭବପର ନୁହେଁ । ସେଥିପାଇଁ ଯେମିତି ଯାତ୍ରା ଚାଲୁଥିଲା ସେମିତି ଯାତ୍ରା ଚାଲିବ ବୋଲି କହିଛନ୍ତି କଂସ ମହାରାଜ । ଜିଲ୍ଲାପାଳ, ଯାତ୍ରା କମିଟି ଓ କଳାକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପରେ ଏଭଳି ନିଷ୍ପତି ନିଆଯାଇଛି ।
ସେହିପରି ବହୁଦିନ ଧରି ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରାଯାଉ ବୋଲି କୌଶଳ ସେନା ପକ୍ଷରୁ ଦାବି କରି ଆସୁଥିବା ବେଳେ ଏହି ବୈଠକରେ ତାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏପଟେ ଚଳିତ ବର୍ଷ ୭୬ ବର୍ଷ ପାଳନ କରୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଯାତ୍ରାକୁ ବଡ଼ ଧୁମଧାମରେ ପାଳିତ ହେବ ବରଗଡ଼ ଧନୁଯାତ୍ରା । ଆସନ୍ତା ଜାନୁଆରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ । ୨୨ ତାରିଖ ଶୁକ୍ରବାର ସଂଧାରେ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହେବ । ଧନୁଯାତ୍ରା କମିଟିର କାର୍ଯ୍ୟକାରିଣୀ ଦ୍ୱିତୀୟ ବୈଠକ ବସିଥିଲା । ଚଳିତ ବର୍ଷ ୭୬ ବର୍ଷ ପାଳନ ହେବାକୁ ଥିବାବେଳେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।