କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିଛି ପଦ କଥା, ଆଗୁଆ ନିର୍ବାଚନ ନେଇ ହେଉଥିବା ଆକଳନ ଉପରେ ପାଣି ପକାଇ ଦେଇଛି । ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି କହି, ମୋଦି ହୁଏତ ଇସାରା ଇସାରାରେ ରାଜନୈତିକ ଦଳ ଗୁଡ଼ିକୁ ସଂକେତ ଦେଇଛନ୍ତି ଯେ, ଏବେ ନିର୍ବାଚନ ହେବାର ନାହିଁ ।

Advertisment

ନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ସଦସ୍ୟଙ୍କୁ ସମ୍ବୋଧନ କରୁଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦୀ କହିଥିଲେ- ନୂଆ ସଂସଦ ଭବନରେ ଗୃହର ସଦସ୍ୟମାନେ ଯେଭଳି ଆଚରଣ କରିବେ । ସେହି ଆଚରଣ ଅନୁସାରେ ଫଳାଫଳ ଆସିବ । କିଏ ସରକାରଙ୍କ ଆସନରେ ବସିବେ ଏବଂ କିଏ ବିରୋଧୀଙ୍କ ଆସନରେ ବସିବେ, ତାହା ନୂଆ ସଂସଦଭବନର ଆଚରଣ ସ୍ଥିର କରିବ ବୋଲି କହିଥିଲେ । ଆଉ କଥା ଛଳରେ କହିଥିଲେ ଏବେ ନିର୍ବାଚନ ହେବାର ନାହିଁ ।

ଗୋଟିଏ ପଟେ ବିରୋଧୀ, ଇଣ୍ଡିଆ ମେଂଟ ବୈଠକ ପରେ ବୈଠକ କରୁଛି । ଆଉ ଗୋଟିଏ ପଟେ କେନ୍ଦ୍ର ସରକାର, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥିତିରେ ଆଗୁଆ ନିର୍ବାଚନର କଥା ମଧ୍ୟ ଉଠିଛି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ- ଲୋକସଭା ନିର୍ବାଚନ କେବେ ହେବ କେହି ଜାଣି ନାହାଁନ୍ତି । ଜରୁରୀ ନୁହେଁ ଲୋକସଭା ନିର୍ବାଚନ ୨୦୨୪ରେ ହିଁ ହେବ । । ସମୟ ପୂର୍ବରୁ ନିର୍ବାଚନ ହୋଇପାରେ । ଏମିତି କି ଇଣ୍ଡିଆ ମେଂଟ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ କହିଥିଲେ ନୀତିଶ କୁମାର । ଆଗୁଆ ନିର୍ବାଚନର ଏଭଳି ଆକଳନ ଭିତରେ କିନ୍ତୁ ମୋଦୀଙ୍କ ବୟାନ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଏପଟେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ରାଜନୈତିକ ହଟଚମଟ ସୃଷ୍ଟି କରିଛି ।

ଆଗୁଆ ନିର୍ବାଚନକୁ ନେଇ ଓଡ଼ିଶାରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା, ଯେତେବେଳେ ଅମିତ ଶାହାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ପାରନ୍ତି ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା । ତେବେ ମୋଦୀଙ୍କ ଏହି ବୟାନ ପରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଉପରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି ।