ଦୂର ହେବ ଦୀର୍ଘ ଦିନର ସମସ୍ୟା ! ସୁବର୍ଣ୍ଣରେଖାର ମକରମପୁର ଘାଟ ନିକଟରେ ତିଆରି ହେବ କଂକ୍ରିଟ୍ ସେତୁ, ଗମନାଗମନ ସୁବିଧା ପାଇବେ ୭ଟି ପଂଚାୟତର ଲୋକ ।

76

କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଆଉ ବିପଦ ପୁର୍ଣ୍ଣ ନୌକା ଯାତ୍ରା କରିବାକୁ ପଡିବନାହିଁ, କି ବିପଦପୂର୍ଣ୍ଣ ଭାବେ କାଠ ପୋଲ ଉପରେ ଯିବାକୁ ପଡିବ ନାହିଁ । କାରଣ ସୁବର୍ଣ୍ଣରେଖା ନଦୀର ମକରମପୁର ଠାରେ ହେବାକୁ ଯାଉଛି ନୂତନ ପକ୍କା ପୋଲ । ୭ ପଂଚାୟତର ପ୍ରାୟ ୪୫ ହଜାର ଲୋକଙ୍କ ସମସ୍ୟା ଦୂର ହେବାକୁ ଯାଉଥିବାରୁ ଅଂଚଳବାସୀଙ୍କ ଖୁସି କହିଲେ ନସରେ ।

ସୁବର୍ଣ୍ଣରେଖା ନଦୀର ଆରପଟେ ରହିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ୭ଟି ପଂଚାୟତର ପ୍ରାୟ ୭୦ଟି ଗାଁ । ଜଳେଶ୍ୱରରେ ତହସିଲ, ବ୍ଲକ, ଡାକ୍ତରଖାନା, କଲେଜ, କୋର୍ଟ କଚେରୀ ସବୁ କିଛି ରହିଛି । ତେଣୁ ଦକ୍ଷିଣ ପ୍ରହରାଜପୁର, ଖୁଦିଆମାଝି ସାହି, ମାଙ୍କଡିଆ, ଓଲମାରା, ସର୍ଦାରବନ୍ଧ, କାଲିକ, ଶ୍ୟାମନଗର ପଂଚାୟତର ଲୋକେ ସୁବର୍ଣ୍ଣରେଖା ନଦୀ ପାରି ହେବାକୁ ବାଧ୍ୟ ହୁଅନ୍ତି । ବର୍ଷା ଦିନେ ଡଙ୍ଗାରେ ଯାତାୟତ କରୁଥିବା ଲୋକେ ଖରା ଦିନେ ଏହି କାଠପୋଲକୁ ଭରସା କରନ୍ତି । ହେଲେ ଆଗକୁ ଆଉ ଏହି ସମସ୍ୟା ରହିବ ନାହିଁ । କାରଣ ସୁବର୍ଣ୍ଣରେଖା ନଦୀ ଉପରେ ତିଆରି ହେବ କଂକ୍ରିଟ୍ ପୋଲ ।

ଜଳେଶ୍ୱର ବିଧାୟକ ଅଶ୍ୱୀନୀ କୁମାର ପାତ୍ରଙ୍କ ଅନୁରୋଧ କ୍ରମେ ମକରମପୁର ଠାରେ ପକ୍କା ପୋଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଘାଟର ସ୍ଥିତି ଅନୁଧ୍ୟାନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକ । ସୁବର୍ଣ୍ଣରେଖା ନଦୀର ମକରମପୁର ଘାଟରେ ସ୍ଥାୟୀ ପୋଲ ନିର୍ମାଣ ହେଲେ ହଜାର ହଜାର ଲୋକଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ।