ପୁଣି ବଢିବ ଲକଡାଉନ୍ ନା କୋହଳ ହେବ କଟକଣା । ହଟିବ କି ରାତ୍ରୀକାଳୀନ କର୍ଫ୍ୟୁ? ମଲ ଓ ଜିମ୍ ଖୋଲିବାକୁ ମିଳିବ କି ଅନୁମତି? ଆଜି ଆସିବ ରାଜ୍ୟ ସରକାରଙ୍କ ଗାଇଡଲାଇନ୍

1,430

କନକ ବ୍ୟୁରୋ : ଆଜି ସରୁଛି ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା । ଆସନ୍ତାକାଲିଠାରୁ କେନ୍ଦ୍ର ସରକାରଙ୍କ ଅନଲକ-୩ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାର ଆଗକୁ କେଉଁ ନୀତି ଅନୁସରଣ କରିବେ ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ଏଥର ରାଜ୍ୟ ସରକାରଙ୍କ ଠାରୁ ଲୋକେ ଅନେକ ଆଶା ରଖିଛନ୍ତି । କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁ ହଟାଇଦେଇଥିବା ବେଳେ ରାଜ୍ୟ ସରକାର ହଟାଇବେ କି ରାତି କର୍ଫ୍ୟୁ ।

କେନ୍ଦ୍ର ଭଳି କଟକଣା କୋହଳ କରିବେ ନା’ ନାଇଟ୍ କର୍ଫ୍ୟୁ ଜାରି ରଖିବେ, ତାଉପରେ ସମସ୍ତଙ୍କ ନଜର ରହିଛି । ଯଦି ରାଜ୍ୟ ସରକାର ଅନଲକ୍ କରି ରାତି କର୍ଫୁକୁ ହଟାଇ ଦିଅନ୍ତି ତେବେ ପୂର୍ବଭଳି ରାତିରେ ଯାତାୟତ ଓ ଦୋକାନ ବଜାର ଖୋଲିବା ଉପରେ ଆଉ ପ୍ରତିବନ୍ଧକ ରହିବ ନାହିଁ । ସେହିପରି ମଲ ଖୋଲିବା ନେଇ କେନ୍ଦ୍ର , ରାଜ୍ୟ ସରକାରଙ୍କ ଉପରେ ନିଷ୍ପତି ଛାଡିଦେଇଥିବାରୁ , ମଲ ଖୋଲିବାକୁ ସରକାର ଅନୁମତି ଦେବେ କି ନାହିଁ ତା ଉପରେ ମଧ୍ୟ ନଜର ରହିବ । ସେହିପରି ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଅପେକ୍ଷା ରହିଛି ରାଜ୍ୟ ସରକାର ଏହା ଉପରେ କି ନିଷ୍ପତି ନେବେ ।

ତେବେ ଶୁଣିବାକୁ ମିଳୁଛି ଯେ, ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦେଇପାରନ୍ତି ରାଜ୍ୟ ସରକାର । କିଛି କ୍ଷେତ୍ରରେ କୋହଳ ଆଭିମୁଖ୍ୟ ମଧ୍ୟ ଦେଖାଇପାରେ ରାଜ୍ୟ । ହେଲେ ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା ଆଦି ଜିଲ୍ଲାରେ କଟକଣା ଜାରି ରହିବା ସମ୍ଭାବନା ରହିଛି । ଲକଡାଉନ, ସଟଡାଉନକୁ ନେଇ ଧିରେ ଧିରେ ଲୋକ ଅତିଷ୍ଠ ହୋଇ ପଡିଥିବା ବେଳେ କେଉଁ କଟକଣା କୋହଳ ହେବ ଏବଂ କେଉଁ କଟକଣା ଜାରି ରହିବ ଏ ନେଇ ପ୍ରଶାସନିକ ମହଲରେ ଜୋରଦାର ବିଚାର ବିମର୍ଶ ଚାଲିଛି ।