ଏଥର ବଡଓଷାରେ ହେବ ଡିଜିଟାଲ ଦର୍ଶନ । ପ୍ରଶାସନର ନିଷ୍ପତିରେ ଅସନ୍ତୋଷ ପ୍ରକାଶ କଲେ ଭକ୍ତ ଓ ସେବାୟତ

114

କନକ ବ୍ୟୁରୋ: କାର୍ତ୍ତିକରେ କାହିଁକି ହେବ ନାହିଁ ଦିଅଁ ଦର୍ଶନ? ଗତକାଲି ଏଲଇଡିରେ ଧବଳେଶ୍ୱରଙ୍କ ଦର୍ଶନ ଏବଂ ଅସ୍ଥାୟୀ ପ୍ରତିମା ଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲାପାଳ । ଝୁଲାପୋଲ ଠାରେ ଦିଅଁ ଦର୍ଶନର ବ୍ୟବସ୍ଥା କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ଯାହାକୁ ବିରୋଧ କରିଥିଲେ ପୂଜକ କମିଟି । ଆଜି ପୂଜକ କମିଟିର ସହ ଆଲୋଚନା ପରେ ମୁଖ୍ୟରାସ୍ତା ମନ୍ଦିର ଫାଟକ ପାଖରେ ଏଲଇଡି ସ୍କ୍ରିନରେ ଭୋଳା ଦର୍ଶନ ନେଇ କଟକ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ହେଲେ ଝୁଲାପୋଲ ଓ ମନ୍ଦିର ବେଢାରେ ୧୪୪ ଧାରା ଲାଗୁ ରହିବ । ତେବେ କାର୍ତ୍ତିକ, ବଡ ଓଷାରେ କାହିଁକି ଦିଅଁ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

  • ଧବଳେଶ୍ୱର ପୀଠରେ ୧୪୪ ଧାରା
  • ଭର୍ଚୁଆଲରେ ହେବ ଭୋଳା ଦର୍ଶନ

କାର୍ତ୍ତିକ ବଡଓଷାରେ କଟକ ଜିଲ୍ଲା ଆଠଗଡର ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଏଥରି ଠାକୁରଙ୍କୁ ପ୍ରତ୍ୟକ୍ଷ ଭାବେ ନୁହେଁ ଭର୍ଚୁଆଲ ମୋଡରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ଜିଲ୍ଲା ପ୍ରଶାସନ ସହ ପୂଜକ ସମିତି ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକର ନିଷ୍ପତି ଅନୁସାରେ…

  • ମୁଖ୍ୟ ରାସ୍ତାକଡର ମନ୍ଦିର ଫାଟକ ନିକଟରେ ବଡ ପରଦା ଲାଗିବ
  • ସେଠାରେ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ପୂର୍ବରୁ ଝୁଲାପୋଲ ନିକଟରେ ପରଦା ଲଗାଇବାକୁ ପ୍ରଶାସନ ନିଷ୍ପତି ନେଇଥିଲା
  • ଏହାକୁ ତୀବ୍ର ବିରୋଧ କରିଥିଲେ ପୂଜକ ସମିତି
  • ପୂଜକ ସମିତି ସହ ବୈଠକ ପରେ ନିଷ୍ପତିକୁ ବଦଳାଇଛି ଜିଲ୍ଲା ପ୍ରଶାସନ
  • ଝୁଲାପୋଲର ସ୍ଥିତି ଯାଞ୍ଚ ପାଇଁ ଝୁଲାପୋଲଠୁ ମନ୍ଦିର ବେଢା ଯାଏଁ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ସୂଚନା ଦେଇଛି 

ବଡ ଓଷାରେ ଠାକୁରଙ୍କ ପ୍ରତ୍ୟକ୍ଷ ଦର୍ଶନ ବଦଳରେ ପରଦାରେ ଭୋଳା ଦର୍ଶନକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କରୋନା ଯୋଗୁଁ ଦୁଇ ବର୍ଷ ପରେ ଧବଳେଶ୍ୱରଙ୍କୁ ଦର୍ଶନ ଓ ଆଶୀର୍ବାଦ ନେବାକୁ ଭକ୍ତ ଚାହିଁ ରହିଥିଲେ । ପୀଠରେ ଲାଗି ହେବାକୁ ଥିବା ପ୍ରସିଦ୍ଧ ଗଜ ଭୋଗ ପାଇଁ ବରାଦ ମଧ୍ୟ ଆସିଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ଭର୍ଚୁଆଲ ଦର୍ଶନ ନିଷ୍ପତି ସେମାନଙ୍କୁ କ୍ଷତିରେ ପକାଇଲା ବୋଲି ମନ୍ଦିରର ସେବାୟତ ଅଭିଯୋଗ କରିଛନ୍ତି । ସେହିପରି ବଡଓଷା ସମୟରେ କିଛି ରୋଜଗାର କରିବା ଆଶାରେ ଥିବା ଛୋଟ ଛୋଟ ଦୋକାନୀ ଏଥର ମଧ୍ୟ ନିରାଶ ହୋଇଛନ୍ତି ।

ଗୁଜୁରାଟ ମୋରବୀରେ ଝୁଲାପୋଲ ଦୁର୍ଘଟଣା ପରେ କଟକ ଜିଲ୍ଲା ପ୍ରଶାସନ ଧବଳେଶ୍ୱର ପୀଠ ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନେଇଛି । ଝୁଲାପୋଲରେ ମାତ୍ରାଧିକ ଲୋକଙ୍କ ସମାଗମ ଦୁର୍ଘଟଣାକୁ ଡାକି ଆଣିପାରେ ବୋଲି ଆଶଙ୍କା କରାଯାଉଛି । ହେଲେ ପ୍ରଶ୍ନ ଉଠୁଛି….

  • ଗୁଜୁରାଟରେ ଅଘଟଣ ପରେ ଚେତିଲା କି ଜିଲ୍ଲା ପ୍ରଶାସନ?
  • ଯଦି ନୁହେଁ ବଡଓଷା ପୂବ ର୍ରୁ ଝୁଲାପୋଲର ଯାଞ୍ଚ କାହିଁକି କରାଯାଇନଥିଲା?
  • ପୂର୍ବରୁ କାହିଁକି ଝୁଲାପୋଲର ରକ୍ଷଣା ବେକ୍ଷଣା ଠିକରେ କରାଯାଇନଥିଲା ?
  • କେବେ ହେବ ଝୁଲାପୋଲ ସମସ୍ୟାର ସ୍ଥାୟୀ ସମାଧାନ?