କନକ ବ୍ୟୁରୋ: ଅନଲାଇନ ମାର୍କେଟରେ ଉପଲବ୍ଧ ହେବ କୋରାପୁଟ ଜିଲ୍ଳାର କାଜୁ, କଳାଜିରା ଚାଉଳ, ହଳଦି ଓ କଫି ସାଙ୍ଗକୁ ଜିଲ୍ଳାରେ ଉତ୍ପାଦନ ହେଉଥିବା କ୍ଷୁଦ୍ର ଶିଳ୍ପ ସାମଗ୍ରୀ । ଏହାଦ୍ୱାରା ଲାଭବାନ ହେବେ କ୍ଷୁଦ୍ର ଉଦ୍ୟୋଗୀ । ସରକାରଙ୍କ ଆକାଂକ୍ଷା ଜିଲ୍ଳା ତାଲିକାରେ କୋରାପୁଟ ଜିଲ୍ଲା ରହିଛି । ତେଣୁ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଠାରୁ ଉତ୍ପାଦିତ ସାମଗ୍ରୀ ଗୁଡ଼ିକ ଉନ୍ନତମାନର ରହିଥିଲେ ସୁଦ୍ଧା ଆବଶ୍ୟକ ପ୍ରଚାର ପ୍ରସାରର ଅଭାବରୁ ଏହାର ବ୍ୟବସାୟରେ ଉନ୍ନତି ହୋଇପାରୁନାହିଁ । ତେଣୁ ଇ- ମାର୍କେଟର ଆବଶ୍ୟକତା ରହିଛି । ଅତ୍ୟାଧୁନିକ ପ୍ୟାକେଜିଂ ସହ ବାରକୋଡ୍ ପଞ୍ଜିକରଣ, ଖାଦ୍ୟ ସୁରକ୍ଷା ରେଗୁଲେସନ ଏବଂ ସରକାରଙ୍କ ମାର୍କେଟିଂ ସପୋର୍ଟର ମୁଖ୍ୟ ଭୁମିକା ରହିଛି ।

Advertisment

ବର୍ତ୍ତମାନ ଜିଲ୍ଳାରେ ଯାହା ବି ବ୍ୟବସାୟ ହେଉଛି ତାହା କେବଳ ସ୍ଥାନୀୟ ବଜାରରେ ବିକ୍ରି ହେଉଛି । ଦେଶ ଦିଦେଶରେ ଏହି ସବୁ ଉତ୍ପାଦର ବିକ୍ରି ପାଇଁ ଇ-ମାର୍କେଟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉଦ୍ୟୋଗୀ । ନିକଟରେ ଜିଲ୍ଳାର ସମସ୍ତ ଉଦ୍ୟୋଗୀକୁ ନେଇ ଡିଜିଟାଲ ମାର୍କେଟିଂର ତାଲିମ ଶିବିର କରାଯାଇଛି । ଯାହାଦ୍ୱାରା ବ୍ୟବସାୟରେ ପରିବର୍ତନ ଆସିପାରିବ । ଏଥିପାଇଁ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ କରିବ ସହଯୋଗ । ଅନେକ ବେକାର ଯୁବକ ଯୁବତୀଙ୍କୁ ମିଳିବ କର୍ମନିଯୁକ୍ତି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଉଦ୍ୟୋଗୀ ।

ଶିଳ୍ପଟିଏ ପ୍ରତିଷ୍ଠା କରିବା ଯେତିକି କଷ୍ଟ ନୁହେଁ ତା’ଠାରୁ ଅଧିକ କଷ୍ଟ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କରିବା । ଖୋଲା ବଜାରରେ ଶସ୍ତା ଦରରେ ବିକ୍ରୀ କରିବା ଅପେକ୍ଷା ଅନଲାଇନ ମାର୍କେଟିଂ କରିବା ଦ୍ୱାରା ଲାଭବାନ ହେବେ ବ୍ୟବସାୟୀ ।