୧୮ ରାଜ୍ୟରେ ହେବ କଡ଼ା ଟକ୍କର: ୨୮୨ ଆସନରୁ ଏନଡିଏକୁ ମିଳିବ ୧୧୮, ଇଣ୍ଡିଆ ମେଂଟ ଖାତାକୁ ଆସିବ ୧୧୦

2,384

କନକ ବ୍ୟୁରୋ: ଯଦି ବର୍ତମାନ ନିର୍ବାଚନ ହୁଏ ତେବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ୧୮ ରାଜ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ୧୮ ରାଜ୍ୟର ୨୮୨ ଲୋକସଭା ଆସନରୁ ବିଜେପି ନେତୃତାଧିନ ଏନଡିଏ ୧୧୮ ଆସନ ହାସଲ କରିବ । ଆଉ ବିରୋଧୀ ମେଂଟ ଇଣ୍ଡିଆ ୧୧୦ ଆସନ ହାତେଇବ । ସେହିଭଳି ଉଭୟ ମେଂଟରେ ନଥିବା ଦଳ ବିଜେଡି, ବିଆରଏସ, ୱାଇଏସଆରସିପି ଭଳି ଦଳଗୁଡିକ ୫୪ଟି ଆସନ ଅକ୍ତିଆର କରିବେ । ଇଣ୍ଡିଆ ଟିଭି ସିଏନଏକ୍ସ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

୫୪ ହଜାର ୨୫୦ ଲୋକଙ୍କ ମତାମତ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ସର୍ଭେ ପ୍ରଥମ ଭାଗ ପ୍ରକାଶ ପାଇଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଭାଗ ଆସିବ । ପ୍ରଥମ ଭାଗ ସର୍ଭେରେ ୫ରୁ ଅଧିକ ରାଜ୍ୟରେ ବିଜେପିର ଦବଦବା ଦେଖିବାକୁ ମିଳିବ ।

ବିଜେପି ଆସାମ, କର୍ଣ୍ଣାଟକ, ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସର୍ବାଧିକ ଭୋଟ ହାସଲ କରିବ । ଆସାମର ବିଜେପିକୁ ୪୨% କଂଗ୍ରେସକୁ ୨୯ ଏବଂ ଅନ୍ୟଦଳକୁ ୨୯% ଭୋଟ ମିଳିବ । ସେହିପରି କର୍ଣ୍ଣାଟକରେ ବିଜେପିକୁ ୪୪% ଏବଂ କଂଗ୍ରେସ ୪୦% ଭୋଟ ପାଇବ । ଛତିଶଗଡ଼ରେ ବିଜେପିକୁ ୪୬% ଏବଂ କଂଗ୍ରେସକୁ ୪୩%ଭୋଟ ମିଳିବ । ରାଜସ୍ଥାନରେ ବିଜେପିକୁ ୪୯% ଏବଂ କଂଗ୍ରେସକୁ ୪୧ % ଭୋଟ ମିଳିବ । ମଧ୍ୟପ୍ରଦେଶରେ ବିଜେପିକୁ ୪୮% ଓ କଂଗ୍ରେସକୁ ୪୧% ଭୋଟ ମିଳିବ । ତେବେ ଓଡ଼ିଶାରେ ବିଜେଡିକୁ ୪୫%, ବିଜେପିକୁ ୪୧ ଏବଂ କଂଗ୍ରେସକୁ ୧୧% ଭୋଟ ମିଳିବା ସମ୍ଭାବନା ରହିଛି ।

ବର୍ତମାନ ସର୍ଭେର ପ୍ରଥମ ଭାଗ ପ୍ରକାଶ ପାଇଛି । ଆଗକୁ ଆଉ ଦୁଇ ଭାଗ ସର୍ଭେ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ । ଶନିବାର ସମ୍ପୂର୍ଣ୍ଣ ସର୍ଭେ ରିପୋର୍ଟ ପ୍ରକାଶ ପାଇବ । ଗୁଜରାଟ, ଉତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟର ସର୍ଭେ ରିପୋର୍ଟକୁ ଅପେକ୍ଷା ।

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଚଳିତ ବର୍ଷ ହେବ । ଏହା ପରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି ।